ହିଂସା ଭିତରେ ସରିଲା ପଶ୍ଚିମବଙ୍ଗ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । କୁଚବେହାରରେ ସୁରକ୍ଷାକର୍ମୀଙ୍କ ଗୁଳିଚାଳନା ନେଇ ପ୍ରଶ୍ନ ଉଠାଇଲେ ମମତା ।

121

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ ସମୟରେ ଘଟିଛି ଅଘଟଣ । କୁଚବେହାରରେ ମତଦାନ ବେଳେ ହିଂସାକାଣ୍ଡରେ ଯାଇଛି ୪ ଜଣଙ୍କ ଜୀବନ । କୁଚ୍ ବେହାରର ସୀତଲକୁଚି ବିଧାନସଭା ଆସନର ଜୋରପଟକିର ୧୨୬ ନଂବର ବୁଥରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଘଟଣାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦାୟୀ କରିଛି ଟିଏମସି । ସେପଟେ ପୁଲିଂ ବୁଥରେ ମତଦାନ ସମୟରେ ମୁତୟନ ଥିବା କେନ୍ଦ୍ରୀୟ ସୁରକ୍ଷା ବଳଙ୍କୁ ଦାୟୀ କରିଛନ୍ତି ମୃତକଙ୍କ ପରିବାର । ଆଜି ପଶ୍ଚିମବଙ୍ଗରେ ୪୪ ଆସନରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଭିତରେ କୁଚବେହାରରେ ଘଟିଛି ଏଭଳି ହିଂସା ।

ମତଦାନ ସମୟରେ ହିଂସାକାଣ୍ଡ ଓ ଜୀବନହାନୀ ପରେ ସେହି ପୁଲିଂ ବୁଥରେ ମତଦାନ ବନ୍ଦ କରିଛନ୍ତି ନିର୍ବାଚନ କମିଶନ । ପୋଲିଂ ବୁଥରେ ଜଣେ ବ୍ୟକ୍ତି ଅସୁସ୍ଥ ହୋଇପଡିବା ପରେ ଜଣେ ସୁରକ୍ଷାକର୍ମୀ ତାଙ୍କୁ ଆକ୍ରମଣ କରିଥିବା ନେଇ ଅପପ୍ରଚାର ହୋଇଥିଲା ବୋଲି କୁଚବେହାର ଏସପି କହିଛନ୍ତି । ଏଥିରେ ସ୍ଥାନୀୟ ଲୋକେ ଉତକ୍ଷିପ୍ତ ହୋଇ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିଲେ । ଯେଉଥିଁପାଇଁ ଆତ୍ମସୁରକ୍ଷା ଲାଗି ସୁରକ୍ଷାକର୍ମୀ ଗୁଳି ଚଳାଇଥିବା କହିଛନ୍ତି କୁଚବେହାର ଆରକ୍ଷୀ ଅଧିକ୍ଷକ ।

ଏପଟେ କୁଚବେହାରରେ ରାଜନୈତିକ ହିଂସା ନେଇ ମୁହାଁମୁହିଁ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପଶ୍ଚିମବଙ୍ଗ ମମତା ବାନାର୍ଜି । ଘଟଣାକୁ ନେଇ କେନ୍ଦ୍ରୀୟ ସୁରକ୍ଷା ସଂସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ମମତା । ଏବଂ ଘଟଣାର ସିଆଇଡି ତଦନ୍ତ ଦାବି କରିଛନ୍ତି । ସେପଟେ ଏହି ଘଟଣା ପାଇଁ ମୋଦୀ, ମମତାଙ୍କ ଉପରେ ବର୍ଷିଛନ୍ତି । ଘଟଣାକୁ ନେଇ ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି ତୃଣମୃଣ କଂଗ୍ରେସ । କେଉଁ ପରିସ୍ଥିତିରେ ଘଟଣା ଘଟିଛି ଓ ଏହା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି ଟିଏମସି ।

ସେହିପରି ହୁଗଳୀରୁ ଆସିଛି ଉତ୍ତେଜନାର ଖବର । ବିଜେପି ନେତ୍ରୀ ଲକେଟ ଚାଟାର୍ଜୀଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡିଛି । ଘଟଣା ବାବଦରେ ସେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରାଇଛନ୍ତି । କେବଳ ବିଜେପି ନେତ୍ରୀ ନୁହଁନ୍ତି ସାମ୍ବାଦିକମାନେ ମଧ୍ୟ ଆକ୍ରମଣ ଶିକାର ହୋଇଥିବା ଅଭିଯୋଗ ହୋଇଛି । ସାମ୍ବାଦିକଙ୍କ ଗାଡି ଭଙ୍ଗାରୁଜା କରିବା ସହ ଆକ୍ରମଣ ହୋଇଛି ।