ପଶ୍ଚିମବଙ୍ଗ ନିର୍ବାଚନ: ବାମଦଳ ଓ କଂଗ୍ରେସ ମଧ୍ୟରେ ମେଣ୍ଟିଲା ଆସନ ବୁଝାମଣା ବିବାଦ । ୨୮ ତାରିଖରେ ବିଧିବଦ୍ଧ ଘୋଷଣା

442

କନକ ବ୍ୟୁରୋ : କିଛିଦିନ ମଧ୍ୟରେ ନିର୍ବାଚନ କମିଶନ ପଶ୍ଚିମବଙ୍ଗ ବିଧାନସଭା ନେଇ ତାରିଖ ଘୋଷଣା କରିପାରନ୍ତି । ଏହାରି ମଧ୍ୟରେ ନିର୍ବାଚନକୁ ନେଇ ବିଜେପି ଓ ଟିଏମସି ମଧ୍ୟରେ ବାଦ ବିବାଦ ଲାଗି ରହିଥିବା ବେଳେ ପଶ୍ଚିମବଙ୍ଗ ନିର୍ବାଚନରେ ଅନ୍ୟ ଏକ ମେଣ୍ଟ (ବାମଦଳ ଓ କଂଗ୍ରେସ) ନିର୍ବାଚନୀ ମୈଦାନକୁ ଉହ୍ଲାଇବାକୁ ପ୍ରସ୍ତୁତ ହୋଇଛି । ଏହି ଦୁଇଦଳ ମଧ୍ୟରେ ଆସନ ଭାଗବଣ୍ଟାକୁ ନେଇ ଥିବା ବିବାଦ ଏକ ପ୍ରକାର ସମାଧାନ ହୋଇଛି ବୋଲି ଜଣାପଡିଛି । ହେଲେ ଏନେଇ ଆସନ୍ତା ୨୮ ତାରିଖରେ ଉଭୟ ଦଳ ବିଧିବଦ୍ଧ ଘୋଷଣା କରିବେ ।
ସୂଚନା ମୁତାବକ ଏଥର ଏହି ମେଣ୍ଟରେ ଆୱାସ ସିଦ୍ଦିକଙ୍କ ଇଣ୍ଡିଆନ ସେକୁଲାର ଫ୍ରଣ୍ଟ ସାମିଲ ହେବାକୁ ଯାଉଛି । କହିରଖୁ କି ପ୍ରଥମରୁ କଂଗ୍ରେସ ବାମଦଳକୁ ୧୩୦ ଟି ଆସନ ମାଗିଥିବା ବେଳେ ଏବେ ୧୦୦ ଟି ଆସନରେ କଂଗ୍ରେସ ସନ୍ତୁଷ୍ଟ ହୋଇଛି । ଇଣ୍ଡିଆନ ସେକୁଲାର ଫ୍ରଣ୍ଟ ୬୦ ଟି ଆସନ ମାଗିଥିବା ବେଳେ ମେଣ୍ଟ ତାକୁ ୩୦ ଟି ଆସନ ଦେବାକୁ ନିଷ୍ପତ୍ତି କରିଛି ।

କହିରଖୁ କି ୨୦୧୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କଂଗ୍ରେସ ୯୨ ଟି ଆସନରେ ପ୍ରତିଦ୍ୱନ୍ଦିତା କରିଥିଲା । ଯାହା ମଧ୍ୟରୁ ୪୪ ଟି ଆସନରେ ବିଜୟ ଲାଭ କରିଥିଲା । ଅନ୍ୟପଟେ ବାମମୋର୍ଚ୍ଚା ତା ନିଜ ଖାତାରୁ କିଛି ଆସନ ଆରଜେଡିକୁ ଦେବ ବୋଲି ବି ସୂଚନା ରହିଛି । ହେଲେ ଚଳିତ ମାସ ୨୮ ତାରିଖରେ କୋଲକତାର ବ୍ରିଗେଡ ଗ୍ରାଉଣ୍ଡରେ ହେବାକୁ ଥିବା ଜନସଭାରେ ଏନେଇ ଉଭୟ ଦଳ ବିଧିବଦ୍ଧ ଘୋଷଣା କରିବେ ।