ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ତାଲିକାରେ ରହିଛି ୬ ମୁସଲିମ୍ ପ୍ରାର୍ଥୀଙ୍କ ସହ କିଛି ସାଂସଦଙ୍କ ନାମ

124

କନକ ବ୍ୟୁରୋ : ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ତା’ର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥର ଦଳ ୧୪୮ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଦଳ ହରିଶ୍ଚନ୍ଦ୍ରପୁର ରୁ ମହମ୍ମଦ ମତିଓର, ସାଗରଦୀଘିରୁ ମାଫୁଜା ଖାତୁନ, ଭଗବାନଗୋଲାରୁ ମେହବୁବ୍ ଆଲମ୍, ରାନୀଗରରୁ ମସୁହରା ଖାତୁନ୍, ସୁଜାରପୁରରୁ ଏସ୍.କେ ଜିୟାଉଦ୍ଦିନ, ଡୋମକଲରୁ ରୁବିୟା ଖାତୁନ୍ ଙ୍କୁ ଟିକେଟ୍ ଦେଇଛି ।

କହିରଖୁ କି ବିଜେପିରେ ଆଶାୟୀ ସଂଖ୍ୟା ଅଧିକ ଥିବାରୁ ଏହାକୁ ନେଇ ବିବାଦ ଦେଖା ଦେଇଥିଲା । ତେଣୁ ଦଳ ଅନେକ ମାନସ ମନ୍ଥନ ପରେ ଏହି ପ୍ରାର୍ଥୀ ତାଲିକା ଘୋଷଣା କରିଛି ।

ଏହା ପୂର୍ବରୁ ଦଳ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୧୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଥିଲା । ଯାହା ମଧ୍ୟରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ, ଲକେଟ୍ ଚାଟାର୍ଜୀ, ଓ ସପନ ଦାସଗୁପ୍ତଙ୍କ ଭଳି ହେଭିୱେଟ୍ ନେତାଙ୍କ ନାମ ସାମିଲ ଥିଲା । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଦଳ ବିଧାନସଭା ନିର୍ବାଚନ ପାଇଁ ୪ ଜଣ ସାଂସଦଙ୍କ ନାମ ଘୋଷଣା କରିଥିଲା ।

ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେପି ପଶ୍ଚିମବଙ୍ଗ ପାଇଁ ତା’ର ନିର୍ବାଚନ ରଣନୀତି ବଦଳାଇବାରେ ଲାଗିଥିବା ଦେଖିବାକୁ ମିଳିଛି । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଜେପି ନେତା ମାନେ ସିଧାସଳଖ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରୁଥିବା ବେଳେ ଏବେ ମମତା ସରକାରଙ୍କ ଦୋଷ ଓ ଦୁର୍ବଳତାକୁ ଲୋକଙ୍କ ସାମ୍ନାରେ ରଖିବାକୁ ଚେଷ୍ଟା କରୁଛନ୍ତି ।