ଟିଏମସି- ବିଜେପି କଡା ଟକ୍କର ଭିତରେ ପୁଣି ଶାସନ ଗାଦିରେ ବସିପାରନ୍ତି ଦିଦି : ଟାଇମ୍ ନାଓ-ସିଭୋଟର ଓପିନିଅନ୍ ପୋଲରେ ସଂକେତ

୧୦୭ ଆସନ ଜିତିପାରେ ବିଜେପି; ଆସାମ ଓ ପୁୁଡୁଚେରୀରେ ଏନଡିଏ ବାଜିମାତ୍ ସମ୍ଭାବନା

362

କନକ ବ୍ୟୁରୋ : ପଶ୍ଚିମ ବଙ୍ଗର ନିର୍ବାଚନ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବା ବେଳେ ଓପିନିଅନ୍ ପୋଲର ମତାମତ ସମସ୍ତଙ୍କୁ ଚକିତ କରିଦେଲା ଭଳି ତଥ୍ୟ ସାମ୍ନାକୁ ଆଣିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନ ଘନ ପ୍ରଚାର ସତ୍ୱେ ପଶ୍ଚିମ ବଙ୍ଗରେ ବାଜିମାରିବାକୁ ଯାଉଛି ତୃଣମୂଳ କଂଗ୍ରେସ । ଏଭଳି କିଛି ପୂର୍ବାନୁମାନ କରିଛି ଟାଇମ୍ସ ନାଓ ଓ ସିଭୋଟର ସଂସ୍ଥା । ତେବେ ଦିଦିଙ୍କ ବିଜୟ ପଥ ସୁଗମ ନୁହେଁ ବୋଲି ମଧ୍ୟ କହିଛି ସର୍ଭେ । ଏହି ସର୍ଭେର ଆକଳନ ଅନୁସାରେ ଟିଏମସିକୁ ୨୯୪ ବିଶିଷ୍ଟ ବିଧାନସଭା ଆସନରୁ ୧୫୪ଟି ଆସନ ମିଳିପାରେ ।

ତେବେ ୨୦୧୬ ନିର୍ବାଚନ ଅପେକ୍ଷା ଏଥର ଦଳକୁ ୫୭ଟି ଆସନ ହରାଇବାକୁ ପଡିପାରେ । କିନ୍ତୁ ଏସବୁ ଭିତରେ ବିଜେପିକୁ ବିଜୟ ନମିଳିଲେ ମଧ୍ୟ ବେଶ୍ ବଡ ସଫଳତା ମିଳିବାକୁ ଯାଉଛି । ୨୦୧୬ରେ ମାତ୍ର ୩ଟି ଆସନରେ ଜିତିଥିବା ବିଜେପି ଏକ ବଡ ଲମ୍ଫ ମାରିବାକୁ ଯାଉଛି ବୋଲି ପୂର୍ବାନୁମାନ କରିଛି ଏହି ସର୍ଭେ । ବିଜେପିକୁ ୧୦୭ଟି ଆସନ ମିଳିପାରେ, ସେପଟେ ଆସାମ ଓ ପୁଡୁଚେରୀରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏନଡିଏ ବିଜୟୀ ହେବ ବୋଲି କୁହାଯାଉଛି । ସେହିପରି ତାମିଲନାଡୁରେ ଡିଏମକେ ନେତୃତ୍ୱରେ ଥିବା ୟୁପିଏ ଶାସନ ହାତେଇବା ସମ୍ଭାବନା ବେଶୀ ବୋଲି ଆକଳନ କରାଯାଉଛି । ସେପଟେ କେରଳରେ ପୁଣି ଥରେ ଶାସନରେ ଆସିପାରେ ଏଲଡିଏଫ ।