ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି : ନନ୍ଦିଗ୍ରାମ ସହିତ ୩୦ ଆସନ ପାଇଁ ନେତା ବାଛୁଛନ୍ତି ଜନତା

ଆଜି ମମତା ଓ ଶୁଭେନ୍ଦୁଙ୍କ ଭାଗ୍ୟ ପରୀକ୍ଷା; ସେପଟେ ଆସାମର ୩୯ ଆସନରେ ୩୪୫ ପ୍ରାର୍ଥୀଙ୍କ ପାଇଁ ପଡୁଛି ଭୋଟ

153

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେଉଛି । ୩୦ଟି ବିଧାନସଭା କ୍ଷେତ୍ରରେ ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ପ୍ରାୟ ୭୫ ଲକ୍ଷ ମତଦାତା । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଏହି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ହାଇଭୋଲଟେଜ୍ ନନ୍ଦୀଗ୍ରାମ ଆସନ ପାଇଁ ଏହି ପର୍ଯ୍ୟାୟରେ ଭୋଟ ପଡୁଛି । ଯେଉଁଠାରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏବଂ ବିଜେପି ଶିବରରୁ ଟକ୍କର ଦେଉଛନ୍ତି ଏକଦା ମମତାଙ୍କ ଏକାନ୍ତ ଅନୁଗତ ଶୁଭେନ୍ଦୁ ଅଧିକାରୀ ।

ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍

– ଦ୍ୱିତୀୟ ପର୍ଯ୍ୟାୟରେ ୩୦ଟି ବିଧାନସଭା ଆସନ ଲାଗି ମତଦାନ
– ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ପ୍ରାୟ ୭୫ ଲକ୍ଷ ମତଦାତା
– ବାଙ୍କୁରାର ୮ଟି ଓ ଦକ୍ଷିଣ ୨୪ ପ୍ରଗଣାର ୪ଟି ଆସନରେ ମତଦାନ
– ପଶ୍ଚିମ ମେଦିନାପୁରର ୯ ଓ ପୂର୍ବ ମେଦିନାପୁରର ୯ଟି ଆସନରେ ଭୋଟିଂ
– ଟିଏମସି ଓ ବିଜେପି ସମସ୍ତ ୩୦ ଆସନରେ ପ୍ରାର୍ଥୀ ଦେଇଛନ୍ତି
– ବାମ ଦଳ ୧୫ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି
– ମେଂଟ ସହଯୋଗୀ କଂଗ୍ରେସ ୧୩ ଏବଂ ଆଇଏସଏଫ ୨ ଆସନରେ ଲଢୁଛନ୍ତି
– ୧୦ ହଜାର ୬୨୦ଟି ଅଂଚଳରେ ପୋଲିଂ ବୁଥ କରାଯାଇଛି
– ୬୫୧ କମ୍ପାନି କେନ୍ଦ୍ରୀୟ ସୁରକ୍ଷା ବଳ ସହ ସ୍ଥାନୀୟ ପୋଲିସ ମୁତୟନ
– ୨୦୧୬ରେ ଟିଏମସି ୨୩ ଓ ବାମ ଦଳ ୫ଟି ଆସନ ଜିତିଥିଲେ
– ସେହିପରି କଂଗ୍ରେସ ଓ ବିଜେପି ଗୋଟିଏ ଲେଖାଏଁ ଆସନ ପାଇଥିଲେ

ପଶ୍ଚିମବଙ୍ଗର ମୋଟ୍ ୨୯୪ ବିଧାନସଭା ଆସନ ଲାଗି ୮ଟି ପର୍ଯ୍ୟାୟରେ ମତଦାନ ହେଉଛି । ମାର୍ଚ୍ଚ ୨୭ରେ ପ୍ରଥମ ପର୍ଯ୍ୟାୟରେ ୩୦ଟି ଆସନ ଲାଗି ମତଦାନ ହୋଇଥିଲା । ଆଜି ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ୩୦ ଆସନ ଲାଗି ହେଉଛି ମତଦାନ । ଏପ୍ରିଲ ୬ ତାରିଖରେ ୩୧, ଏପ୍ରିଲ ୧୦ରେ ୪୪, ୧୭ ଏପ୍ରିଲରେ ୪୫, ୨୨ ଏପ୍ରିଲରେ ୪୩, ୨୬ ଏପ୍ରିଲରେ ୩୬ ଓ ଏପ୍ରିଲ ୨୯ ତାରିଖରେ ୩୫ଟି ଆସନ ଲାଗି ମତଦାନ ହେବ । ମେ ୨ ତାରିଖରେ ଭୋଟ ଗଣତି ପରେ ଫଳାଫଳ ପ୍ରକାଶ ପାଇବ ।

ସେପଟେ ଆସାମରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ୩୯ ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି । ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସକାଳ ସକାଳୁ ବୁଥ ଆଗରେ ଭୋଟରଙ୍କ ଭିଡ ଜମିବାରେ ଲାଗିଲାଣି । ୩୯ ବିଧାନସଭା ଆସନ ପାଇଁ ୩୪୫ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୭୩ ଲକ୍ଷରୁ ଅଧିକ ଭୋଟର । ଶାନ୍ତି ଶୃଙ୍ଖଳାରେ ମତଦାନ ଶେଷ କରିବା ପାଇଁ ଆସମରେ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ସିଏପିଏଫର ୧୧୦ କଂପାନୀ ଓ ଆସାମ ପୁଲିସର ୯୦ କଂପାନୀ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି । ସମ୍ବେଦନଶୀଳ ଅଂଚଳଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।