କନକ ବ୍ୟୁରୋ : ଦିଲ୍ଲୀ ରାଜନୀତିରେ ପାଦ ରଖିବାକୁ ପ୍ରସ୍ତୁତ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଚଳିତ ବିଧାନସଭା ନିର୍ବାଚନରେ ବହୁମତରେ ଜିତି ସରକାର ଗଠନ କରିବା ପରେ ମମତା ବାନାର୍ଜୀଙ୍କ ମନୋବଳ ବୃଦ୍ଧି ପାଇଛି । ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳ ରାଜନୈତିକ ଦଳମାନଙ୍କୁ ସୂଚାଇ ଦେଇଛି କି ବିଜେପି ଅପରାଜେୟ ନୁହେଁ । ଏହାକୁ ନଜରରେ ରଖି ଦିଲ୍ଲୀ ଗସ୍ତରେ ଅଛନ୍ତି ମମତା । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ଏକ ମଜବୁତ ମେଣ୍ଟ ପ୍ରସ୍ତୁତ କରିବାକୁ ଏଠାରେ ମମତା ମୂଳଦୁଆ ପକାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଜି ମମତା ବାନାର୍ଜୀ ଓ ସୋନିଆ ଗାନ୍ଧୀ ଦିନ ୧.୩୦ ମିନିଟରେ ବୈଠକ କରିବେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆମ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯୋଗ ଦେଇପାରନ୍ତି ବୋଲି ଆଶା କରାଯାଉଛି । ଆହୁରି କୁହାଯାଇଛି କି ଏହି ଦୁଇ ବଡନେତାଙ୍କ ବ୍ୟତୀତ ବିରୋଧୀ ଦଳର ଅନ୍ୟ କିଛି ବଡ ନେତାଙ୍କ ସହ ମମତା ବାନାର୍ଜୀ ଭେଟ କରିପାରନ୍ତି ।
ଅନ୍ୟପଟେ ତୃତୀୟ ଥର ମୁଖ୍ୟମନ୍ତୀ ହେବା ପରେ ମମତା ଓ ସୋନିଆଙ୍କ ମଧ୍ୟରେ ଏହା ପ୍ରଥମ ଭେଟ । ଏହି ବୈଠକରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ଉପରେ ଆଲୋଚନା ହୋଇପାରେ ବୋଲି ଆଶା କରାଯାଉଛି । ଏହା ପୂର୍ବରୁ ମଙ୍ଗଳବାର ଦିନ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ ।
ମମତା ବାନାର୍ଜୀ ମଙ୍ଗଳବାର ଦିନ କହିଛନ୍ତି ଯେ ବିରୋଧୀଦଳ ମାନଙ୍କର ଏକତା ଆପେ ଆପେ ପ୍ରସ୍ତୁତ ହୋଇଯିବ । ବିରୋଧୀ ଦଳର ନେତୃତ୍ୱ ନେବା ପ୍ରସଙ୍ଗରେ ମମତା ବାନାର୍ଜୀ କହିଛନ୍ତି କି ମୁଁ ନୁହେଁ ବରଂ ଦେଶ ବିରୋଧୀ ଦଳ ମେଣ୍ଟର ନେତୃତ୍ୱ ନେବ ।