ଏବେ ଏହି ରାଜ୍ୟରେ ରାସନ କାର୍ଡଧାରୀ ଘରେ ବସି ପାଇବେ ରାସନ, ୧୦ କୋଟି ହିତାଧିକାରୀ ହେବେ ଉପକୃତ

234

କନକ ବ୍ୟୁରୋ : ପଶ୍ଚିମବଙ୍ଗ ସରକାର ଏବେ ରାସନ କାର୍ଡଧାରୀଙ୍କ ଘର ପାଖରେ ରାସନ ପହଂଚାଇବାକୁ ଯୋଜନା କରିଛି । ଏନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଦିନ ‘ଦୁଆରେ ରାସନ’ ଯୋଜନାର ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ସମାରୋହରେ ମମତା କହିଛନ୍ତି କି ଏହାଦ୍ୱାରା ରାଜ୍ୟର ୧୦ କୋଟି ହିତାଧିକାରୀ ଲାଭବାନ ହେବେ । ଅନ୍ୟପଟେ ପଶ୍ଚିମବଙ୍ଗ ସରକାର ରାସନ ଡିଲରଙ୍କ କମିଶନ ୭୫ ଟଙ୍କାରୁ ୧୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ଯୋଜନାର ଶୁଭାରମ୍ଭ କରି କହିଛନ୍ତି କି ‘ଦୁଆରେ ରାସନ’ ଯୋଜନାରେ ରାଜ୍ୟର ୧୦ କୋଟି ଲୋକଙ୍କୁ ସହାୟତା ମିଳିବ । ଏହାକୁ ସମସ୍ତ ରାସନ ଡିଲର ସଫଳ କରିବାକୁ ସେ ଅନୁରୋଧ କରିଛନ୍ତି । ସେ କହିିଛନ୍ତି କି ଅନ୍ୟ ରାଜ୍ୟମାନେ ପଶ୍ଚିମବଙ୍ଗର ଯୋଜନାକୁ ଅନୁକରଣ କରିବାକୁ ଚେଷ୍ଟା କରୁଛନ୍ତି । କହିରଖୁ କି ଚଳିତ ବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଯୋଜନାର ଘୋଷଣା କରିଥିଲେ । ଏହି କ୍ରମରେ ରାସନ ଡିଲରମାନେ ଏବେ ହିତାଧିକାରୀଙ୍କ ଘର ପାଖରେ ରାସନ ପହଂଚାଇବେ ।

ସଭାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି କି, ଡିଲରମାନେ ଲୋକମାନଙ୍କ ପାଖରେ ରାସନ ପହଂଚାଇବା ଠାରୁ ଆରମ୍ଭ କରି ଗାଡି କିଣିବା ପର୍ଯ୍ୟନ୍ତ ପାଖା ପାଖି ୨୧ ହଜାର ରାସନ ଡିଲରଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ । ଏହା ଉପରେ ଅଦାଲତ ହସ୍ତକ୍ଷେପ ନକରିବାକୁ ସେ ଅନୁରୋଧ କରିଛନ୍ତି ।

ଏହି କ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ ପାଇଁ ଏକ ହ୍ୱାଟ୍ସଆପ ଚ୍ୟାଟବାଟ ଓ ଏକ ମୋବାଇଲ ଆପ୍ଲିକେଶନ ‘ଖାଦ୍ୟ ସାଥି’ର ବି ଶୁଭାରମ୍ଭ କରିଛନ୍ତି । ଏହି ଆପ୍ ମାଧ୍ୟମରେ ଲୋକମାନେ ରାସନ କାର୍ଡ ପାଇଁ ଆବେଦନ କରିପାରିବେ ।