ଏବେବି ରୁଷିଛନ୍ତି ଦିଦି ? ମୋଦିଙ୍କ ବାତ୍ୟା ସମୀକ୍ଷା ବୈଠକକୁ ୩୦ ମିନିଟ ବିଳମ୍ବରେ ଆସିଲେ ମମତା । କ୍ଷୟକ୍ଷତିର କାଗଜ ଦେଇ ମିଟିଂ ଛାଡି ଚାଲିଗଲେ ଦିଦି ।

359

କନକ ବ୍ୟୁରୋ: ପଶ୍ଚିମବଙ୍ଗ ନିର୍ବାଚନର ପ୍ରାୟ ଏକ ମାସ ପରେ ପ୍ରଥମ ଥର ପାଇଁ ମୁହାଁମୁହିଁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବାତ୍ୟା ୟାସର କ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିବା ପରେ ପ୍ରଧାନମନ୍ତ୍ରୀ କଲାଇକୁଣ୍ଡାରେ ସମୀକ୍ଷା ବୈଠକ କରିଥିଲେ । ପୂର୍ବରୁ ରାଜ୍ୟପାଳ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଉପସ୍ଥିତ ରହିଥିବା ବେଳେ ମମତା ବାନାର୍ଜୀ ପ୍ରାୟ ଅଧଘଂଟା ଡେରିରେ ପହଂଚିଥିଲେ । କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି, ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ମଧ୍ୟ ଡେରିରେ ପହଂଚିଥିଲେ । ପରେ ବାତ୍ୟା କ୍ଷୟକ୍ଷତିର ଏକ ଦସ୍ତାବିଜ ପ୍ରଧାନମନ୍ତ୍ରୀଙ୍କୁ ଦେଇ ବୈଠକରୁ ଚାଲିଯାଇଥିଲେ ମମତା ବାନାର୍ଜୀ ।

ଯାହା କେନ୍ଦ୍ର ସରକାର ଓ ତୃଣମୂଳ କଂଗ୍ରେସ ମଧ୍ୟରେ ପୁଣି ମୁହାଁମୁହିଁ ସ୍ଥିତି ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି । ଏସଂପର୍କରେ ପ୍ରତିକ୍ରିୟା ଦେଇ ମମତା ବାନାର୍ଜୀ କହିଛନ୍ତି ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକ ନେଇ ତାଙ୍କ ପାଖରେ ପୂର୍ବରୁ ସୂଚନା ନଥିଲା । ପ୍ରଧାନମନ୍ତ୍ରୀଙ୍କୁ ବାତ୍ୟାର କ୍ଷୟ କ୍ଷତିକୁ ନେଇ ରିପୋର୍ଟ ଦାଖଲ କରି ୨୦ ହଜାର କୋଟି ଟଙ୍କାର ସହାୟତା ଦାବି କରିଥିବା କହିଛନ୍ତି । ଦୀଘାର ହୋଇଥିବା କ୍ଷୟ କ୍ଷତି ପାଇଁ ୧୦ ହଜାର କୋଟି ଏବଂ ସୁନ୍ଦରବନ ପାଇଁ ୧୦ କୋଟି ଟଙ୍କା ମାଗିଥିବା କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଦିଘାରେ ଏକ ବୈଠକରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅନୁମତି ନେଇ ସମୀକ୍ଷା ବୈଠକରୁ ଆସିଥିବା କହିଛନ୍ତି ମମତା ବାନାର୍ଜୀ ।