ପଶ୍ଚିମବଙ୍ଗରେ ମୋଦିଙ୍କ ସମୀକ୍ଷା ବୈଠକକୁ ୩୦ ମିନିଟ୍ ବିଳମ୍ବରେ ଆସି, ତୁରନ୍ତ ପଳାଇଲେ ଦିଦି । ମୋଦି କହିଲେ, ଝାଡଖଣ୍ଡ- ପଶ୍ଚିମବଙ୍ଗକୁ ମିଳିବ ସର୍ତମୂଳକ ଅନୁଦାନ, କ୍ଷୟକ୍ଷତି ହୋଇଥିଲେ ହିଁ ଦିଆଯିବ ସହାୟତା ।

480

କନକ ବ୍ୟୁରୋ: ଓଡିଶାର ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ ପରେ ପଶ୍ଚିମବଙ୍ଗ ଅଭିମୁଖେ ବାହାରିଥିଲେ ମୋଦି । ନବୀନଙ୍କ ପାଖରେ କିଛି ସମୟ ଅଟକିଯାଇଥିଲେ ଏବଂ  କାନ୍ଧରେ ହାତ ଥାପୁଡାଇ କିଛି କହିଥିଲେ ପ୍ରଧାନମନ୍ତ୍ରୀ ।  ଏହା ପରେ ଭାରତୀୟ ବାୟୁସେନାର ହେଲିକପ୍ଟର ପଶ୍ଚିମବଙ୍ଗର ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ ପାଇଁ ବାହାରିଯାଇଥିଲା ।

ଦିଲ୍ଲୀ ଫେରିବା ପରେ ପ୍ରଧାନମନ୍ତ୍ରୀଙ୍କ ସହାୟତା ଘୋଷଣା । ବାତ୍ୟା କ୍ଷୟକ୍ଷତି ପାଇଁ ୩ ରାଜ୍ୟକୁ ହଜାରେ କୋଟିର ପ୍ୟାକେଜ । ଓଡିଶାକୁ ମିଳିଲା ୫ ଶହ କୋଟି । ଝାଡଖଣ୍ଡ ଓ ପଶ୍ଚିମବଙ୍ଗକୁ ୫ ଶହ କୋଟି । ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ବାତ୍ୟା କ୍ଷୟକ୍ଷତି ସମୀକ୍ଷା କରିବା ପରେ ଦିଲ୍ଲୀ ଫେରିଯାଇଥିଲେ । ଏବଂ ଦିଲ୍ଲୀରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହଜାରେ କୋଟିର ସହାୟତା ଘୋଷଣା କରିଥିଲା । ଏଥିରେ କୁହାଯାଇଥିଲା ଓଡିଶାକୁ ତୁରନ୍ତ ୫ ଶହ କୋଟି ଟଙ୍କା ଦିଆଯାଉଛି । ସେପଟେ ପଶ୍ଚିମବଙ୍ଗ ଓ ଝାଡଖଣ୍ଡକୁ ମିଶାଇ ୫ ଶହ କୋଟି ମିଳିବ  ଏବଂ ସେହି ୫ ଶହ କୋଟି ବାତ୍ୟା କ୍ଷୟକ୍ଷତି ହୋଇଥିବା ଅନୁସାରେ ହିଁ  ସହାୟତା ପ୍ରଦାନ କରାଯିବ ।

ମୋଦି ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାର ଫଟୋକୁ ଟ୍ୱିଟ କରି ଲେଖିଛନ୍ତି କେନ୍ଦ୍ର ସରକାର ଓଡିଶା ଜନସାଧାରଣଙ୍କ ସହ ଦୃଢତାର ସହ ଅଛନ୍ତି । ଏହାପରେ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଓଡିଶା ସହ ଦୃଢତାର ସହ ଠିଆ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ସମୀକ୍ଷା କଲାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଅଛନ୍ତି, ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଅଛନ୍ତି , କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିମ୍ବା ପଶ୍ଚିମବଙ୍ଗର ଅନ୍ୟ ପଦାଧିକାରୀ ନାହାନ୍ତି ।  ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଟ୍ୱିଟ କରି ଲେଖିଛି , ସେହି ପ୍ରାଙ୍ଗଣରେ ଥାଇ ବି ମମତା ଓ ମୁଖ୍ୟ ସଚିବ  ୩୦ ମିନିଟ ବିଳମ୍ବରେ ଆସିଥିଲେ । ସମୀକ୍ଷା ବୈଠକରେ ପ୍ରବେଶ କରି ବାତ୍ୟା କ୍ଷୟକ୍ଷତି ସମ୍ପର୍କିତ କିଛି କାଗଜ ଧରାଇଥିଲେ ଆଉ କହିଥିଲେ ତାଙ୍କର ଅନ୍ୟ ବୈଠକ ଅଛି ତେଣୁ ସେ ଯାଉଛନ୍ତି, ଏହା ପରେ ସେ ବାହାରି ଯାଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦି ସମୀକ୍ଷା ସାରି ଦିଲ୍ଲୀ ଫେରିଥିଲେ ଏବଂ ସହାୟତା ଘୋଷଣା କରିଥିଲେ । ଯେଉଁଥିରେ ଓଡିଶାକୁ ତୁରନ୍ତ ୫ ଶହ  କୋଟି ପ୍ରଦାନ କରାଯାଇଛି ଏବଂ ଝାଡଖଣ୍ଡ ଓ ପଶ୍ଚିମବଙ୍ଗକୁ ମିଶାଇ ୫ ଶହ କୋଟି ଦିଆଯାଇଛି, କିନ୍ତୁ କ୍ଷୟକ୍ଷତି ଦେଖିଲା ପରେ ହିଁ ଏହି ଟଙ୍କା ମିଳିପାରିବ ।