କେନ୍ଦ୍ର ସହ ମୁହାମୁହିଁ ଭିତରେ ମମତାଙ୍କ ମାଷ୍ଟର ଷ୍ଟ୍ରୋକ । ଡାକରା ସତ୍ୱେ ଦିଲ୍ଲୀ ଗଲେନି, ପଦ ଛାଡିଲେ ମୁଖ୍ୟ ଶାସନ ସଚିବ । ଅଲପନଙ୍କୁ ମୁଖ୍ୟ ପରାମର୍ଶଦାତା ନିଯୁକ୍ତି ଦେଲେ ଦିଦି ।

456

କନକ ବ୍ୟୁରୋ: ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କ ବଦଳିକୁ ନେଇ କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର ମୁହାଁମୁହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ମୁଖ୍ୟ ଶାସନ ସଚିବଙ୍କୁ ଛାଡିପାରିବେ ନାହିଁ ବୋଲି ଜଣାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏଥସହ ପଶ୍ଚିମବଙ୍ଗବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତିର ପୁର୍ନବିଚାର କରିବାକୁ ମୋଦିଙ୍କୁ ସେ ଅନୁରୋଧ କରିଛନ୍ତି । ଏହାକୁ ନେଇ ନେତାଙ୍କ ବୟାନବାଜି ସାମ୍ନାକୁ ଆସିଛି । ମମତା କଠିନ ସମୟ କହି କେନ୍ଦ୍ରକୁ ବ୍ଲାକମେଲ କରୁଥିବା କହିଛି ବିଜେପି । ଅନ୍ୟପଟେ ଟିଏମସି କହିଛି, କେନ୍ଦ୍ର ଆକ୍ରୋଶମୂଳକ ରାଜନୀତି କରୁଛି ।

ନରେନ୍ଦ୍ର ମୋଦି ବନାମ ମମତା ବାନାର୍ଜୀ । ମୁଖ୍ୟ ଶାସନ ସଚିବଙ୍କୁ ନେଇ ବଢିଲା ବିବାଦ । ନିଷ୍ପତ୍ତିର ପୁର୍ନବିଚାର ପାଇଁ ଚିଠି ଲେଖିଲେ ଦିଦି । ପଶ୍ଚିମବଙ୍ଗ ନିର୍ବାଚନର ମାସକ ପରେ ବି ମୋଦି ଓ ମମତାଙ୍କ ଲଢେଇ କମ ହେଉ ନାହିଁ । ଏବେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲାପନ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ଡାକରା ପରେ ନୂଆ ବିବାଦ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅଲାପନ ବନ୍ଦୋପଧ୍ୟାୟଙ୍କ ବଦଳି ନିର୍ଦ୍ଦେଶ ଉପରେ ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଥିବା ଚିଠିରେ ମମତା ଲେଖିଛନ୍ତି, ପଶ୍ଚିମବଙ୍ଗ ସରକାର କରୋନା ସଂକ୍ରମଣ ଓ ବାତ୍ୟା ଜନିତ କ୍ଷୟକ୍ଷତି ଭଳି କଠିନ ସମୟରେ ମୁଖ୍ୟ ଶାସନ ସଚିବଙ୍କୁ ଛାଡି ପାରିବ ନାହିଁ, କି ଛାଡୁ ନାହିଁ । ରାଜ୍ୟ ସରକାରଙ୍କ ସହ କୌଣସି ବିଚାର ବିମର୍ଶ ନକରି ଏହି ନିଷ୍ପତି ନିଆଯାଇଥିବାରୁ ଚକିତ ଓ ସ୍ତବ୍ଧ । ପଶ୍ଚିମବଙ୍ଗବାସୀଙ୍କ ସ୍ୱାର୍ଥକୁ ଆଖିରେ ରଖି ବିନମ୍ରତାର ସହ ଅନୁରୋଧ କରୁଛି ମୁଖ୍ୟ ଶାସନ ସଚିବ ଅଲାପନ ବନ୍ଦୋପାଧ୍ୟାଙ୍କୁ ଦିଲ୍ଲୀ ଡାକରା ନିଷ୍ପତିର ପୁର୍ନବିଚାର କରି ରଦ୍ଦ କରନ୍ତୁ ବୋଲି ଚିଠିରେ ଲେଖିଛନ୍ତି ମମତା ବାନାର୍ଜୀ ।

ମୁଖ୍ୟ ଶାସନ ସଚିବ ଅଲାପନଙ୍କ ମେ ୩୧ରେ ଅବସର ହେବାକୁ ଥିବା ବେଳେ ପୂର୍ବରୁ ତାଙ୍କ କାର୍ଯ୍ୟକାଳ ବଢାଇବାକୁ କେନ୍ଦ୍ରକୁ ଚିଠି ଲେଖିଥିଲେ ମମତା ସରକାର । ଆଉ କେନ୍ଦ୍ରର ଅନୁମୋଦନ ପରେ ଅଲାପନଙ୍କ କାର୍ଯ୍ୟକାଳକୁ ୩ ମାସ ବୃଦ୍ଧି କରାଯାଇଛି । ହେଲେ ବାତ୍ୟା ୟାସର ସ୍ଥିତି ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରୁ ଏହି ବିବାଦ ଆରମ୍ଭ ହୋଇଛି ।

ବାତ୍ୟା ଜନିତ କ୍ଷୟକ୍ଷତିର ସମୀକ୍ଷା ପାଇଁ ମେ ୨୮ରେ ପଶ୍ଚିମବଙ୍ଗ ଯାଇଥିଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକକୁ ମୁଖ୍ୟମନ୍ତ୍ରୀଙ୍କ ସହ ଅଧା ଘଂଟା ବିଳମ୍ବରେ ପହଂଚିିିଥିଲେ ମୁଖ୍ୟ ଶାସନ ସଚିବ
ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକକୁ ବିଳମ୍ବରେ ଆସିବା ପରେ କେନ୍ଦ୍ର ଦିଲ୍ଲୀ ଡାକରା ନିର୍ଦ୍ଦେଶ ଜାରି କରିଥିଲା

ସୋମବାର ସକାଳ ୧୦ଟା ସୁଦ୍ଧା ଦିଲ୍ଲୀରେ ହାଜର ହେବାକୁ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲାପନ ବନ୍ଦୋପାଧ୍ୟାୟଙ୍କୁ ନୋଟିସ ଦେଇଥିଲେ ମଧ୍ୟ ସେ ଯାଇ ନାହାନ୍ତି । ଦିନ ୧୦ଟା ବେଳେ ହାୱଡାରେ ଏକ କରୋନା ସଂପର୍କିତ ଭର୍ଚୁଆଲ ବୈଠକ କରିଛନ୍ତି ।