୨୦୨୪ ପୂର୍ବରୁ ହେବ କି ତୃତୀୟ ସାମ୍ମୁଖ୍ୟ? ନବୀନଙ୍କୁ ଭେଟିପାରନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।

139

କନକ ବ୍ୟୁରୋ: ୨୪ ନିର୍ବାଚନ ପାଖେଇ ଆସୁଥିବାବେଳେ ଜାତୀୟ ରାଜନୀତିରେ ଦେଖିବାକୁ ମିଳୁଛି ଅନେକ ରୋଚକ ଦୃଶ୍ୟପଟ୍ଟ । ମୋଦିଙ୍କୁ କାଉଣ୍ଟର କରିବାକୁ କଂଗ୍ରେସ ନୂଆ ରଣନୀତି କରୁଥିବାବେଳେ କଂଗ୍ରେସକୁ ବାଦ ଦେଇ ତୃତୀୟ ସାମ୍ମୁଖ୍ୟ ପାଇଁ ଅଣ୍ଟା ଭିଡିଛନ୍ତି ଆଞ୍ଚଳିକ ଦଳ । ଆଉ ଏତିକିବେଳେ କୋଲକାତାରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ମମତା ବାନାର୍ଜୀଙ୍କ ଭେଟଘାଟ ନେଇ ନୂଆ ରାଜନୈତିକ ଅଙ୍କକଷା ଆରମ୍ଭ ହୋଇଛି । ବିଜେପି ଓ କଂଗ୍ରେସକୁ ବାଦ ଦେଇ ତୃତୀୟ ମେଣ୍ଟ କରିବାକୁ ଦୁଇ ନେତା ଇସାରା ଦେଇଛନ୍ତି ।

  • ୨୪ ପୂର୍ବରୁ ହେବ କି ତୃତୀୟ ସାମ୍ମୁଖ୍ୟ?
  • କେସିଆରଙ୍କ ପରେ ଅଣ୍ଟା ଭିଡିଲେ ମମତା
  • ମମତା-ଅଖିଳେଶଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା

ତେବେ ମମତା ପ୍ରଥମରୁ ହିଁ କଂଗ୍ରେସ ସାଙ୍ଗରେ ରହିବାକୁ ଚାହୁଁନାହାନ୍ତି । ପୂର୍ବରୁ ମଧ୍ୟ ସେ ବିଜେପି ବିରୋଧରେ ତୃତୀୟ ସାମ୍ମୁଖ୍ୟ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ଏବେ ସମାନ ଧରଣର ଉଦ୍ୟମ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ପରେ ମମତା ଆରମ୍ଭ କରିଛନ୍ତି ।

  • ନବୀନଙ୍କୁ ଭେଟିବେ ମମତା!
  • ତୃତୀୟ ସାମ୍ମୁଖ୍ୟରେ ସାମିଲ ହେବ କି ବିଜେଡି ?

କୋଲକାତାରେ ଅଖିଳେଶଙ୍କୁ ଭେଟିବା ପରେ ଓଡିଶା ଆସୁଛନ୍ତି ମମତା ବାନାର୍ଜୀ । କୁହାଯାଉଛି, ମମତା ୨୧ ତାରିଖରେ ଓଡିଶା ଆସିବେ । ଜଗନ୍ନାଥ ଦର୍ଶନ କରିବା ପରେ ୨୩ ତାରିଖରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । କଂଗ୍ରେସକୁ ବାଦ ଦେଇ ଅଣ ବିଜେପି ମେଣ୍ଟ ନେଇ ମମତା-ନବୀନଙ୍କ ସହ ଆଲୋଚନା କରିପାରନ୍ତି । ତେବେ ଏହି ଭେଟଘାଟ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ କିଛି କୁହାଯାଇନାହିଁ । ବିଜେଡି କହିଛି, ଦଳ ସବୁବେଳେ ଦୁଇ ଦଳଠାରୁ ସମଦୂରତା ବଜାୟ ରଖିଛି । ବିଜେପି କହିଛି, ଏହି ଭେଟଘାଟ ଦଳ ଉପରେ କିଛି ପ୍ରଭାବ ପକାଇବ ନାହିଁ ।

ଜାତୀୟ ରାଜନୀତିକୁ ଦେଖିଲେ, ବିଜେଡି କେବେ ବି ଅଣ ବିଜେପି ଓ ଅଣ କଂଗ୍ରେସ ମେଣ୍ଟରେ ସାମିଲ ହୋଇନାହିଁ । ରାଜ୍ୟର ସ୍ୱାର୍ଥ ପାଇଁ ଦଳ ସବୁବେଳେ ସମଦୂରତା କଥା କହିଆସିଛି । ଏବେ ମମତାଙ୍କ ଉଦ୍ୟମ ପ୍ରତି ନବୀନ କି ଆଭିମୁଖ୍ୟ ଦେଖାଉଛନ୍ତି ତାକୁ ନେଇ ରାଜନୈତିକ ମହଲ ଅଙ୍କକଷା ଆରମ୍ଭ କରିଛନ୍ତି ।