ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ: ପରସ୍ପରକୁ ଉପହାର ଦେଇ ଜଣାଇଲେ ଶୁଭେଛା 

361

କନକ ବ୍ୟୁରୋ: ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବା ସମୟର ଏହି ଦୃଶ୍ୟ ଉପରେ ରହିଥିଲା ସାରାଦେଶର ନଜର । ପୂର୍ବ ପ୍ରସ୍ତୁତି ଅନୁସାରେ ଓଡିଶା ଗସ୍ତରେ ଥିବା ମମତା ବାନାର୍ଜୀ ନବୀନ ନିବାସରେ ପହଁଚିଥିଲେ । ମମତା ପହଁଚିବା ପରେ ତାଙ୍କୁ ପାଛୋଟି ନେଇଥିିଲେ ନବୀନ ପଟ୍ଟନାୟକ । ଏହି ସମୟରେ ପରସ୍ପର ପରସ୍ପରକୁ ଉପହାର ଦେଇଥିଲେ । ମମତାଙ୍କୁ ନବୀନ ମହାପ୍ରଭୁଙ୍କ ଅଂଗବସ୍ତ୍ର, ତାରକସି କାମ ହୋଇଥିବା କାରୁକାର୍ଯ୍ୟର ଉପହାର ଓ ଛେନାପୋଡ ଦେଇଛନ୍ତି । ନବୀନଙ୍କୁ ମମତା ଏକ ସାଲ ଏବଂ ବିଜୁ ପଟ୍ଟନାୟକ ଓ ଜ୍ଞାନ ପଟ୍ଟନାୟକଙ୍କ ଉଦେଶ୍ୟରେ ଏକ ଜାମଦାନୀ ଶାଢ଼ୀ ଉପହାର ଦେଇଛନ୍ତି । ତାପରେ ଦୁଇ ନେତାଙ୍କ ମଧ୍ୟରେ, ଉଭୟ ରାଜ୍ୟର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।

ମମତା ବାନାର୍ଜୀ ଓ ନବୀନଙ୍କ ସାକ୍ଷାତ ଆଲୋଚନା ପରେ, ଦୁଇ ନେତା ବାହାରକୁ ଆସି ଗଣମାଧ୍ୟମକୁ ମିଳିତ ବିବୃତି ରଖିଛନ୍ତି । ଆଉ ଗଣମାଧ୍ୟମକୁ ସମ୍ବୋଧନ କରିବାବେଳେ ଉଭୟ ନେତା ସ୍ପଷ୍ଟ କରିଛନ୍ତି ଏହା କୌଣସି ରାଜନୈତିକ ଭେଟଘାଟ ନଥିଲା । ଦୁଇ ନେତାଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତ ଥିଲା । ଏଥିସହ ମମତା ବାନାର୍ଜୀ କହିଛନ୍ତି, ନିର୍ବାଚନକୁ ଆହୁରି ବର୍ଷେ ବାକି ଅଛି । ତେଣୁ ଏବେଠାରୁ ଚର୍ଚ୍ଚା କରିବା ଆବଶ୍ୟକ ନାହିଁ । ତେବେ ଦେଶ ଓ ଗଣତନ୍ତ୍ରର ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ଦୁଇ ନେତା ।

ଓଡିଶାର ଆତିଥେୟତା ପାଇଁ ନବୀନ ପଟ୍ଟନାୟକଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ମମତା । ନବୀନଙ୍କ ନେତତ୍ୱକୁ ପ୍ରଶଂସା କରିଛନ୍ତି । ଏଥିସହ ପୁରୀରେ ବେଂଗଲ ଭବନ ପାଇଁ ଜାଗା ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି ।

କିଛି ଦିନ ପୂର୍ବରୁ ସମାଜବାଦୀ ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଥିବାରୁ, ଓ ପରେ ଜେଡିଏସ ମୁଖ୍ୟ କୁମାର ସ୍ୱାମୀଙ୍କୁ ଭେଟିବାର କାର୍ଯ୍ୟକମ ଥିବାରୁ ମମତାଙ୍କ ଗସ୍ତକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି ରାଜନୈତିକ ପଣ୍ଡିତ । ନବୀନଙ୍କୁ ନେଇ ମମତା ତୃତୀୟ ସାମୁଖ୍ୟର ପରିକଳ୍ପନା କରୁଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।