ଭବାନୀପୁରରେ ଦମଦାର ବିଜୟ ପରେ ମୁହଁ ଖୋଲିଲେ ଦିଦି: କହିଲେ, ନନ୍ଦିଗ୍ରାମ ଷଡଯନ୍ତ୍ରର ଜବାବ ଦେଲେ ଜନତା

132

କନକ ବ୍ୟୁରୋ: ଭବାନୀପୁରରେ ମମତା ବାନାର୍ଜୀ ବଡ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି । ମମତା ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟେବରିୱାଲଙ୍କ ଠାରୁ ୫୮ ହଜାର ଭୋଟରେ ଏହି ବିଜୟ ହାସଲ କରିଛନ୍ତି । ମମତାଙ୍କ ଏତେ ବଡ ବିଜୟ ପରେ ପଶ୍ଚିମବଙ୍ଗରେ ଟିଏମସି କର୍ମୀମାନେ ଖୁସି ଉତ୍ସବ ପାଳନ କରୁଛନ୍ତି ।

ଏହି ବିଜୟ ପରେ ମମତା ବାନାର୍ଜୀ କହିଛନ୍ତି କେନ୍ଦ୍ର ସରକାର ଷଡଯନ୍ତ୍ର କରି ମତେ ହଟେଇବାକୁ ଚେଷ୍ଟା କରୁଥିଲେ । ହେଲେ ଜନତା ମତେ ବିଜୟୀ କରାଇଲେ । ମୋ ଗୋଡକୁ ଆଘାତ ଦେଲେ ଯେମିତି ମୁଁ ନିର୍ବାଚନ ଲଢିନପାରିବି । ମୋ ବିରୋଧରେ ହୋଇଥିବା ଏହି ଭୟଙ୍କର ଷଡଯନ୍ତ୍ରର ଜବାବ ଭବାନୀପୁରର ଜନତା ଦେଲେ ।

ଏହି ଉପ ନିର୍ବାଚନରେ ମମତା ବାନାର୍ଜୀ ୮୪, ୭୦୯ ଖଣ୍ଡ ଭୋଟ ପାଇଥିଲେ । ସେହିପରି ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟେକରିବାଲ ୨୬, ୩୨୦ ଭୋଟ ପାଇ ପରାଜିତ ହୋଇଥିଲେ । ଭବାନୀପୁରର ବିଜୟ ପରେ ପଶ୍ଚିମବଙ୍ଗରେ ଟିଏମସି ଏବେ ଆହୁରି ମଜବୁତ ହୋଇଯାଇଛି ।

ଏପଟେ ମମତାଙ୍କ ବିଜୟ ପରେ ନିର୍ବାଚନ କମିଶନ ପଶ୍ଚିମବଙ୍ଗ ସରକାରଙ୍କୁ ଯେପରି କୌଣସି ହିଂସା ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି । ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାଜିତ ହୋଇଥିଲେ ମମତା ବାନାର୍ଜୀ । ତେଣୁ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ୬ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବା ମମତାଙ୍କୁ ପାଇଁ ଜରୁରୀ ଥିଲା । ମମତାଙ୍କୁ ନିର୍ବାଚନ ଲଢିବାକୁ ସୁଯୋଗ ଦେବାକୁ ତୃଣମୂଳ କଂଗ୍ରେସ ବିଧାୟକଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ଏହାପରେ ଭାବନୀପୁରରେ ଉପନିର୍ବାଚନ ହୋଇଛି ଓ ମମତା ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ।