ପଶ୍ଚିମବଙ୍ଗରେ ପୁଣି ବିଜେପିକୁ ଝଟକା, ଉପ ନିର୍ବାଚନ ହୋଇଥିବା ୩ ଆସନରେ ଟିଏମସି ଆଗରେ

158

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଅନୁଷ୍ଠିତ ହୋଇଥିବା ୩ ଟି ବିଧାନସଭା ଆସନରେ ଭୋଟ ଗଣତି ଚାଲୁ ରହିଛି । ଦିନ ୧୨.୩୮ ସୁଦ୍ଧା ନିର୍ବାଚନ କମିଶନ ଦେଇଥିବା ଫଳାଫଳ ମୁତାବକ ୩ ଟି ଯାକ ବିଧାନସଭା ଆସନରେ କ୍ଷମତାଧାରୀ ଟିମସି ପ୍ରାର୍ଥୀ ଆଗରେ ରହିଛନ୍ତି । ସବୁଠାରୁ ବଡକଥା ଏହି ୩ ଟି ଆସନ ମଧ୍ୟରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଭବାନୀପୁର ଆସନରୁ ପ୍ରାର୍ଥୀ ହୋଇଥିଲେ । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେପି ପ୍ରାର୍ଥୀ ପ୍ରିୟଙ୍କ ତ୍ରିବୱାଲଙ୍କ ଠାରୁ ୩୪ ହଜାରରୁ ଅଧିକ ଭୋଟରେ ଆଗରେ ରହିଛନ୍ତି ।

ଭବାନୀପୁର ଆସନ ଉପରେ ପୁରା ଦେଶର ନଜର ରହିଛି । କାରଣ ମମତା ବାନାର୍ଜୀ ଏହି ଆସନରୁ ପରାଜିତ ହେଲେ ତାଙ୍କ ମୁଖ୍ୟମନ୍ତ୍ରୀ ପଦ ରହିବ ନାହିଁ । ଏଣୁ ବିଜେପି ବି ମମତାଙ୍କୁ ହରାଇବାକୁ ପୁରା କଳବଳ କୌଶଳ ଲଗାଇ ଦେଇଥିଲା । ହେଲେ ମଧ୍ୟବର୍ତ୍ତୀ କାଳୀନ ଫଳାଫଳରୁ ଅନୁମାନ କରାଯାଉଛି କି ମମତା ତାଙ୍କ ପାରମ୍ପାରିକ ଆସନ ଭବାନୀପୁରରୁ ବିଜୟୀ ହୋଇ ପୁଣି ମୁଖ୍ୟମନ୍ତ୍ରୀ ପଦରେ ରହିବେ । ସେପଟେ ଅନ୍ୟ ଦୁଇଟି ଆସନରେ ମଧ୍ୟ ବିଜେପି ପଛରେ ପଡିଛି ।

ଅନ୍ୟପଟେ ଭୋଟ ଗଣତି ଚାଲିଥିବା ବେଳେ ନିର୍ବାଚନ ଆୟୋଗ ଏକ ଚିଠିଲେଖି ନିର୍ବାଚନ ଫଳାଫଳକୁ ନେଇ କୌଣସି ଉତ୍ସବ ପାଳନ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମାଚାର ଏଜେନ୍ସି ଏଏନଆଇ ମୁତାବକ ଏହି ଚିଠିରେ ନିର୍ବାଚନ ଆୟୋଗ ସରକାରଙ୍କୁ ତାଗିଦ କରି କୌଣସି ଉତ୍ସବ ପାଳନ କରିବାକୁ ମନା କରିଛନ୍ତି ।

ଗୁରୁବାର ଦିନ ଉପନିର୍ବାଚନ ପାଇଁ ଅନୁଷ୍ଠିତ ହୋଇଥିବା ଭୋଟଗ୍ରହଣରେ ଭବାନୀପୁର ଆସନରେ ମୋଟ ୫୭ ପ୍ରତିଶତ ଲୋକ ଭୋଟ ଦେଇଥିଲେ । ଅନ୍ୟପଟେ ଶମସେରଗଂଜରେ ୭୯.୯୨ ଓ ଜଙ୍ଗିପୁରରେ ୭୭.୬୩ ପ୍ରତିଶତ ମତଦାନ ହୋଇଥିଲା ।