କନକ ବ୍ୟୁରୋ: ଦୀପାବଳିରେ ଦୀପ ଜାଳିବାକୁ କଲିକତାରୁ ଘରକୁ ଫେରୁଥିଲେ ପୁଷ୍ପାଞ୍ଜଳି । ହେଲେ ଘରେ ପହଞ୍ଚିବା ପୂର୍ବରୁ ଲିଭିଯାଇଛି ତାଙ୍କ ଜୀବନ ଦୀପ । ବସରେ ଥିବା ସ୍ୱାମୀ, ପୁଅ ଓ ଅନ୍ୟ ଯାତ୍ରୀମାନଙ୍କୁ ବାହାରିବାରେ ସେ ସହାୟତା କରିଥିଲେ । ହେଲେ ଶେଷ ମୁହୂର୍ତରେ ସେ ବାହାରିପାରିନଥିଲେ । ଆଉ ବସର ନିଆଁ ଭିତରେ ଜଳିଯାଇଥିଲେ ପୁଷ୍ପାଞ୍ଜଳି ।

Advertisment
  • ନିଷ୍ଠୁର ସାଜିଲା ଦଇବ
  • ମୃତ୍ୟୁ ପୂର୍ବର ଶେଷ କଲ୍..

ଦୀପାବଳି ପାଳିବା ପାଇଁ କୋଲକାତରୁ ଗାଁକୁ ଫେରିବା ବେଳେ ନିଷ୍ଠୁର ସାଜିଛି ଦଇବ । ଅଧାବାଟରେ ଯାଇଛି ଜୀବନ । ସ୍ୱପ୍ନ ଜଳିପୋଡି ପାଉଁଶ ହୋଇଯାଇଛି । କେନ୍ଦ୍ରାପଡା ନୋଳିଆ ଗାଁର ପୁଷ୍ପାଞ୍ଜଳି ଦାସ ହସଖୁସିରେ ଦୀପାବଳୀ ପାଳିବା ପାଇଁ ପୁଅ ଓ ସ୍ୱାମୀଙ୍କ ସହ ଗାଁକୁ ଆସୁଥିଲେ । କିନ୍ତୁ ବସ ଅଗ୍ନିକାଣ୍ଡରେ ଯାଇଛି ପୁଷ୍ପାଞ୍ଜଳିଙ୍କ ଜୀବନ । ଦୁର୍ଘଟଣାର କିଛି ସମୟ ପୂର୍ବରୁ ନିଜ ନଣନ୍ଦଙ୍କୁ ଶେଷ ଫୋନ୍ କରିଥିଲେ ପୁଷ୍ପାଞ୍ଜଳି । ରାତି ପ୍ରାୟ ୮ଟାବେଳେ ଏହି ଫୋନ କଲ ଆସିଥିଲା । ଦୀପାବଳି ପାଇଁ ଘରକୁ ଆସୁଥିବାରୁ ଶନିବାର ସକାଳୁ ସେ ଉଠିବା ପୂର୍ବରୁ ସମସ୍ତେ ଘରେ ପହଞ୍ଚି ଯାଇଥିବେ ବୋଲି ନଣନ୍ଦଙ୍କୁ କହିଥିଲେ । କିନ୍ତୁ ପୁଷ୍ପାଞ୍ଜଳି ଆଉ ଫେରିଲେ ନାହିଁ । ଶାଶୁ ଘରେ ପହଞ୍ଚିଲା ପୁଷ୍ପାଞ୍ଜଳିଙ୍କ ମୃତ୍ୟୁର ଖବର ।

  • ସ୍ୱାମୀ ଓ ପୁଅକୁ ବଞ୍ଚାଇଲେ
  • ଅନ୍ୟକୁ ବଞ୍ଚାଇ ନିଜେ ଜଳିଗଲେ

ପୁଷ୍ପାଞ୍ଜଳିଙ୍କ ସ୍ୱାମୀ କୋଲକାତାରେ କାମ କରୁଥିବାରୁ ୭ ବର୍ଷର ପୁଅ ସହ ପୁଷ୍ପାଞ୍ଜଳି ସେଠାରେ ରହୁଥିଲେ । ରବିବାର ଦୀପାବଳି ପାଇଁ ବସରେ ଘରକୁ ଆସୁଥିବାବେଳେ ଖଗଡପୁର ମାଦପୁର ନିକଟରେ ବସରେ ନିଆଁ ଲାଗିଥିଲା । ବସର ଗେଟ୍ ଖୋଲି ନପାରିବାରୁ କେହି ଯାତ୍ରୀ ବାହାରିପାରିନଥିଲେ । ଜରୁରୀକାଳୀନ ଗେଟ୍ ଦେଇ ସ୍ୱାମୀ, ପୁଅ ଓ ଅନ୍ୟକୁ ବାହାରକୁ ବାହାର କରିଥିଲେ ପୁଷ୍ପାଞ୍ଜଳି । କିନ୍ତୁ ନିଜେ ନିଆଁ କବଳରୁ ବାହାରି ନ ପାରି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏହାପରେ ବଦଳିଯାଇଛି ପୁରା ମାହୋଲ । ଶାଶୁଘର ଗାଁରେ କାନ୍ଦବୋବାଳି ପଡିଛି ।

ସୂଚନାଯୋଗ୍ୟ ଯେ, ପୁଷ୍ପାଞ୍ଜଳିଙ୍କ ମୃତ୍ୟୁ ପରେ ସ୍ୱାମୀ ଓ ପୁଅ ଆଉ ଗାଁକୁ ଫେରିନାହାନ୍ତି । ମାତ୍ର କିଛି କ୍ଷଣ ମଧ୍ୟରେ ପରିବାରର ଖୁସି କୁଆଡେ ଉଭେଇଯାଇଛି । ଅନ୍ଧକାରକୁ ଠେଲି ହୋଇଯାଇଛି ପରିବାର ।