କନକ ବ୍ୟୁରୋ: ଅମଳ ପରେ ଧାନ ବିକିବାକୁ ହନ୍ତସନ୍ତ ହେଉଛନ୍ତି ଚାଷୀ । ଯାହାର ଫାଇଦା ଉଠାଉଛନ୍ତି ପଶ୍ଚିମବଙ୍ଗ ମାଫିଆ । ଓଡିଶା ଚାଷୀଙ୍କ ଠାରୁ କମ୍ ଦାମରେ ଧାନ କିଣି ଚଢା ଦରରେ ବିକ୍ରି କରୁଛନ୍ତି ପଡୋଶୀ ପଶ୍ଚିମବଙ୍ଗର ଦଲାଲ । କିଛି ବର୍ଷ ହେଲା ରବି ଓ ଖରିଫ ଧାନ ଅମଳ ସମୟରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ସରକାରୀ ମଣ୍ଡି ଖୋଲୁନଥିବାରୁ ଚାଷୀ ଅଭାବି ବିକ୍ରିର ଶିକାର ହେଉଛନ୍ତି । ଜଳେଶ୍ୱରରେ ୧୯ଟି, ଭୋଗରାଇରେ ୧୯ଟି, ବାଲିଆପାଳରେ ୧୬ଟି ପ୍ୟାକ୍ସ ଦ୍ୱାରା ଧାନ କିଣା ହେଉନଥିବାରୁ ଚାଷୀ ସମସ୍ୟା ଭୋଗୁଛନ୍ତି । ପ୍ରତିଦିନ ପ୍ରାୟ ୨ଶହ ଟ୍ରକରେ ଧାନ ପଶ୍ଚିମବଙ୍ଗକୁ ଚାଲାଣ କରାଯାଉଛି ।
ଖରିଫ ରୁତୁରେ ଅଧିକ ବର୍ଷା ଓ ସୁବର୍ଣ୍ଣରେଖା ନଦୀରେ ବାରମ୍ବାର ବନ୍ୟା ଯୋଗୁଁ ଖରିଫ ଧାନ ଅମଳ ବ୍ୟାଘାତ ହୋଇଥିଲା । ରବି ଋତୁରେ ଧାନ ଚାଷ କରି ପେଟ ପୋଷିବାକୁ ଆଶା ରଖିଥିଲେ ଜଳେଶ୍ୱର, ଭୋଗରାଇ, ବାଲିଆପାଳର ଚାଷୀ । ଏବେ ଧାନ ଅମଳ ସମୟ ହୋଇଥିବା ବେଳେ ସରକାରୀ ମଣ୍ଡି ଖୋଲି ନଥିବାରୁ ଚାଷୀ ଅଭାବି ବିକ୍ରିର ଶିକାର ହେଉଛନ୍ତି ।
ଧାନ କାଟିବା, ବୋହିବା, ଅମଳ ସହିତ ସାର କୀଟନାଶକ ପାଇଁ ଧାର କରଜ କରିଥିଲ ଚାଷୀ । ଧାନ ବିକିଲେ କରଜ ସୁଝିବାକୁ ଆଶା ରଖିଥିଲେ, ହେଲେ ମଣ୍ଡି ଖୋଲି ନଥିବାରୁ କମ୍ ଦରରେ ଦଲାଲ ହାତରେ କଷ୍ଟ ଉପାର୍ଜିତ ଫସଲକୁ ଟେକି ଦେଉଛନ୍ତି ଚାଷୀ ।