ପଶ୍ଚିମବଙ୍ଗରେ ଜୋର ଧରିଲା ଦଳବଦଳ । ଗଙ୍ଗାଜଳ ଛିଞ୍ଚି ହୋଇ ବିଜେପି ଛାଡି ଟିଏମସିରେ ଯୋଗଦେଲେ ୩୫୦ କାର୍ଯ୍ୟକର୍ତ୍ତା

2,206

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ଏବେ ତୃଣମୂଳ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ନେତା ଓ କାର୍ଯ୍ୟକର୍ତ୍ତାମାନେ ପୁଣି ଟିଏମସିକୁ ଫେରିବା ଆରମ୍ଭ କରିଦେଇଛନ୍ତି । ବିଜେପିରେ ଯୋଗଦେଇ ପାପ କରିଥିବା କହିବା ସହ ଗଙ୍ଗାଜଳ ଛିଞ୍ଚି ହୋଇ ଆଜି ୩୫୦ ବିଜେପି କର୍ମୀ ଟିଏମସିରେ ଯୋଗ ଦେଇଛନ୍ତି ।

ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ୩୫୦ ଜଣ ବିଜେପି କାର୍ଯ୍ୟକର୍ତ୍ତା ଆଜି ଟିଏମସିରେ ମିଶିବାକୁ ଦଳ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ସମସ୍ତେ କହିଥିଲେ କି ଆମେ ବିଜେପିରେ ଯୋଗ ଦେଇ ଭୁଲ କରିଛୁ । ସେମାନଙ୍କୁ ଟିଏମସି ପୁଣିଥରେ ଗ୍ରହଣ କରୁ ବୋଲି ଦାବି କରି ସେମାନେ ଧାରଣା ଦେଇଥିଲେ । ଏଭଳି ଧାରଣା ୪ ଘଂଟା ଧରି ଚାଲିଥିଲା । ଏଭଳି ୪ ଘଂଟା ଚାଲିବା ପରେ ଜିଲ୍ଳା ଟିଏମସିର ନେତା ସେମାନଙ୍କ ଉପରେ ଗଙ୍ଗାଜଳ ଛିଞ୍ଚି ସେମାନଙ୍କୁ ଦଳରେ ସାମିଲ କରିଥିଲେ ।

ଏନେଇ ବିଜେପି ସାଂସଦ ଅର୍ଜୁନ ସିଂ କହିଛନ୍ତି କି, ନିର୍ବାଚନ ପରେ ଟିଏମସି ପକ୍ଷରୁ ରାଜ୍ୟରେ ଯେଭଳି ହିଂସା କରାଯାଉଛି ସେହି ଭୟରେ ବିଜେପିର ସାଧାରଣ କର୍ମୀମାନେ ଭୟଭିତ ହୋଇ ମମତାଙ୍କ ଶରଣ ପଶୁଛନ୍ତି ।
ସେପଟେ ବିଜେପିର ଆଗଧାଡିର ନେତା ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ମୁକୁଲ ରାୟ ଓ ତାଙ୍କ ପୁଅ ଶୁଭ୍ରାଂସୁ ବିଜେପିରେ ଯୋଗଦେବା ପରେ ଆହୁରି ଅନେକ ବିଜେପି ବିଧାୟକ ଓ ସାଂସଦ ମମତାଙ୍କ ଦଳରେ ସାମିଲ ହେବେ ବୋଲି ଆଲୋଚନା ଜୋର ଧରିଛି ।

ସେପଟେ ବିଜେପିରେ କନ୍ଦଳ ପାଇଁ ନେତା ଓ କର୍ମୀ ଦଳ ଛାଡୁଥିବା କଥା ଆଲୋଚନା ହେଉଛି । ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୈଳାଶ ବିଜୟବର୍ଗୀଙ୍କୁ ଦଳ ବିରୋଧ କରୁଥିବା ଦେଖିବାକୁ ମିଳିଛି । ବିଜେପିର ଏଭଳି କନ୍ଦଳ ଟିଏମସି ପାଇଁ ଲାଭଦାୟକ ହେଉଥିବା ଆଲୋଚନା ହେଉଛି ।