ପଶ୍ଚିମବଙ୍ଗ ନିର୍ବାଚନ ଭିତରେ ଆଖି ବୁଜିଲେ ଶୋବା ମଜୁମଦାର । କିଛି ଦିନ ପୂର୍ବେ ହୋଇଥିଲା ଅତର୍କିତ ଆକ୍ରମଣ ।

ଟୁଇଟ୍ କରି ଶୋକ ପ୍ରକାଶ କଲେ ଜେପି ନଡ୍ଡା ଏବଂ ଅମିତ ଶାହା

408

କନକ ବ୍ୟୁରୋ: ପଶ୍ଚିମବଙ୍ଗ ନିର୍ବାଚନରେ ଯେଉଁ ବୃଦ୍ଧ ମହିଳାଙ୍କୁ ନେଇ ବିଜେପି-ଟିଏମସି ମଧ୍ୟରେ ଖଣ୍ଡଯୁଦ୍ଧ ଲାଗିଥିଲା, ଏବେ ସେ ମୃତ୍ୟୁବରଣ କରିଛନ୍ତି । ଏନେଇ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହା ଟୁଇଟ୍ କରି ସୂଚନା ଦେବା ସହିତ ଦୁଃଖ ପ୍ରକାଶ କରିଛନ୍ତି । ଅନ୍ୟପଟେ ଏହି ଘଟଣାରେ ବିଜେପି ନେତାମାନେ ପଶ୍ଚିମବଙ୍ଗର ଟିଏମସି ସରକାରକୁ ଦାୟୀ କରିବା ସହିତ ଜୋରଦାର ଟାର୍ଗେଟ କରିଛନ୍ତି ।

ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ୍ କରି ଦୁଃଖ ପ୍ରକାଶ କରିବା ସହ ଲେଖିଛନ୍ତି, ବେଙ୍ଗଲର ଝିଅ ଶୋବା ମଜୁମଦାରଙ୍କ ମୃତ୍ୟୁ ହୋଇଛି । ଟିଏମସି ଗୁଣ୍ଡାମାନେ ତାଙ୍କୁ ଏତେ ମାଡ ମାରିଥିଲେ ଯେ, ଆଜି ସେ ପ୍ରାଣ ହରାଇଛନ୍ତି ବୋଲି ଶାହା ଲେଖିଛନ୍ତି । ଏଥିସହ ବେଙ୍ଗଲ ଏବେ ହିଂସାମୁକ୍ତ ଆସନ୍ତାକାଲି ପାଇଁ ଲଢେଇ ଜାରି ରଖିବ ବୋଲି ସେ କହିଛନ୍ତି । ଶାହାଙ୍କ ପରି ନଡ୍ଡା ମଧ୍ୟ ଏହି ଘଟଣାକୁ ନେଇ ଟୁଇଟ୍ କରିବା ସହିତ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

କିଛି ଦିନ ତଳେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ନିମଟା ଅଂଚଳରେ ବିଜେପି କର୍ମୀ ଗୋପାଳ ମଜୁମଦାର ଓ ତାଙ୍କ ୮୫ ବର୍ଷୀୟ ବୃଦ୍ଧା ମାଙ୍କ ଉପରକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିବା ସହିତ ତାଙ୍କୁ ବହୁତ ମାରିଥିଲେ । ଏହା ପଛରେ ଟିଏମସି କର୍ମୀଙ୍କ ହାତ ଥିବା ବିଜେପି ଅଭିଯୋଗ କରୁଛି । ଏହି ଘଟଣାରେ ଶୋବା ମଜୁମଦାର ଗୁରୁତର ଭାବେ ଆହତ ହୋଇଥିଲେ । ଆଜି ସେ ମୃତ୍ୟୁବରଣ କରିଛନ୍ତି ।