ପଶ୍ଚିମବଙ୍ଗ ବିଜେପିକୁ ପୁଣି ଝଟକା, ବିଜେପି ଛାଡି ଟିଏମସିରେ ଯୋଗଦେଲେ ଏହି ନେତା

83

କନକ ବ୍ୟୁରୋ : ପଶ୍ଚିମବଙ୍ଗ ଟିଏମସି ଦ୍ୱାରା ବିଜେପିକୁ ଝଟକାଦେବା ପ୍ରକ୍ରିୟା ଜାରି ରହିଛି । ଆଜି ପୁଣି ଜଣେ ବିଜେପିର ବରିଷ୍ଠ ନେତା ତଥା ବିଧାୟକ ବିଜେପି ଛାଡି ଟିଏମସିରେ ଯୋଗ ଦେଇଛନ୍ତି । ଚଳିତ ମାସ ପ୍ରାରମ୍ଭରେ ବିଜେପିରୁ ଇସ୍ତଫା ଦେଇଥିବା ବିଧାୟକ କୃଷ୍ଣ କଲ୍ୟାଣୀ ଆଜି ଟିଏମସିରେ ସାମିଲ ହୋଇଛନ୍ତି । ସେ ମମତା ସରକାରରେ ମନ୍ତ୍ରୀଥିବା ପାର୍ଥ ଚାଟାର୍ଜୀଙ୍କ ଉପସ୍ଥିତିରେ ଟିଏମସିରେ ସାମିଲ ହୋଇଛନ୍ତି ।

ରାୟଗଞ୍ଜ ବିଧାନସଭା କ୍ଷେତ୍ରରୁ କୃଷ୍ଣ କଲ୍ୟାଣୀ ଚଳିତ ନିର୍ବାଚନରେ ବିଜେପି ଟିକେଟରୁ ବିଜୟୀ ହୋଇଥିଲେ । ଦଳ ଭିତରେ ତାଙ୍କୁ ପ୍ରାଥମିକତା ଦିଆଯାଉ ନଥିବା ଅଭିଯୋଗ କରି ସେ ଅକ୍ଟୋବରମାସ ପ୍ରାରମ୍ଭରେ ବିଜେପିରୁ ଇସ୍ତଫା ଦେଇଥିଲେ । କୁହାଯାଉଛି କି ସେ ଇସ୍ତଫା ଦେବାର ଗୋଟିଏ ଦିନ ଆଗରୁ ତାଙ୍କୁ ବିଜେପି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ଏକ ମାମଲାରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । କୃଷ୍ଣ କଲ୍ୟାଣୀ ବିଜେପି ସାଂସଦ ଦେବାଶ୍ରୀ ଚୌଧୁରୀଙ୍କ ବିରୋଧରେ ବୟାନ ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ହେଲେ ନୋଟିସ ପାଇବାର ଗୋଟିଏ ଦିନ ପରେ ସେ କୃଷ୍ଣ କଲ୍ୟାଣ ବିଜେପିରୁ ଇସ୍ତଫା ଦେଇଥିଲେ ।

 

କହିରଖୁ କି ଚଳିତ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ଆଶାତୀତ ସଫଳତା ପାଇଥିଲା । ଏହି କ୍ରମରେ ସେଠାରେ ସେ ବିଧାୟକ ସଂଖ୍ୟା ୩ ରୁ ୭୨ କୁ ବୃଦ୍ଧି କରିବାରେ ସଫଳ ହୋଇଥିଲା । ହେଲେ ନିର୍ବାଚନରେ ଟିଏମସିକୁ ସଂଖ୍ୟା ଗରିଷ୍ଠତା ମିଳିବା ଓ ପୁଣି ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଦୈନିକ ବିଜେପି ନେତା ଓ ବିଧାୟକମାନେ ଦଳଛାଡି ପୁଣି ମମତାଙ୍କ ଟିଏମସିରେ ସାମିଲ ହେଉଥିବା ନଜରକୁ ଆସିଛି ।