ଟିଏମସିରେ ଯୋଗଦେଲେ ବିଜେପି ନେତା ରାଜୀବ ବାନାର୍ଜୀ,ଆହୁରି ଅନେକ ନେତା ଫେରିବା ନେଇ ଆକଳନ

68

କନକ ବ୍ୟୁରୋ : ବିଜେପି ଶୂନ୍ୟ ହେବ କି ପଶ୍ଚିମବଙ୍ଗ ? ଗତ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗର ବିଜେପି ନେତାମାନେ ଧାଡିବାନ୍ଧି ମମତାଙ୍କ ହାତ ଧରୁଥିବା ଦେଖିବାକୁ ମିଳିଛି । ଜଣଙ୍କ ପରେ ଜଣେ ବିଧାୟକଙ୍କ ସମେତ ପଶ୍ଚିମବଙ୍ଗ ବିଜେପି ନେତାମାନେ ଏବେ ଟିଏମସି ମୁହାଁ ହୋଇଛନ୍ତି । ଏହି କ୍ରମରେ ଆଜି ବିଜେପି ନେତା ରାଜୀବ ବାନାର୍ଜୀ ଟିଏମସିରେ ଯୋଗ ଦେଇଛନ୍ତି । ସେ ତ୍ରୀପୁରାରେ ଅଭିଶେଷ ବାନାର୍ଜୀଙ୍କ ଦ୍ୱାରା ଆୟୋଜିତ ଏକ ସଭାରେ ଟିଏମସିରେ ଯୋଗ ଦେଇଛନ୍ତି ।

ସୂଚନା ମୁତାବକ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ସରକାରରେ ମନ୍ତ୍ରୀଥିବା ରାଜୀବ ବାନାର୍ଜୀ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ । ହେଲେ ମାସ କେଇଟା ସେଠାରେ ରହିବା ପରେ ପୁଣି ମମତାଙ୍କ କୋଳକୁ ଫେରିଛନ୍ତି ।  ଏହା ପୂର୍ବରୁ ବି ବିଜେପିର ଅନେକ ବିଧାୟକ, ସାଂସଦ ଓ ନେତା ବିଜେପିରୁ ମୋହଭଙ୍ଗ କରି ମମତାଙ୍କ ହାତ ଧରିଛନ୍ତି । କିଛିଦିନ ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ବିଜେପି ଛାଡି ଟିଏମସିରେ ଯୋଗ ଦେଇଥିଲେ । ବିଧାନସଭା ନିର୍ବାଚନରେ ବିଜେପି ସରକାର ଗଠନ କରିବା ଭଳି ବହୁମତ ନପାଇବାରୁ ବିଜେପିର ଅନେକ ନେତା ଟିଏମସିରେ ଯୋଗ ଦେଉଛନ୍ତି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

କେବଳ ସେତିକି ନୁହେଁ ଟିଏମସିର ଅନେକ ବିଧାୟକ ଓ ନେତା ଯେଉଁମାନେ ନିର୍ବାଚନ ପୂର୍ବରୁ ଦଳଛାଡି ବିଜେପିରେ ଯୋଗଦେଇଥିଲେ ସେମାନେ ଏବେ ଦଳମୁହାଁ ହେଉଛନ୍ତି । ରାଜୀବଙ୍କ ପରେ ଏଭଳି ଅନେକ ବିଜେପି ନେତା ରହିଛନ୍ତି ଯେଉଁମାନେ ଖୁବଶୀଘ୍ର ଟିଏମସିରେ ଯୋଗଦେବା ନେଇ ଅନୁମାନ କରାଯାଇଛି । କେବଳ ବିଜେପି ନେତା ନୁହଁନ୍ତି କଂଗ୍ରେସ ନେତ୍ରୀ ସୁସ୍ମିତା ଦେବ ବି ଦଳ ଛାଡି ଟିଏମସିରେ ଯୋଗ ଦେଇଥିଲେ ଓ ପରେ ଟିଏମସି ତାଙ୍କୁ ରାଜ୍ୟସଭାକୁ ପଠାଇଛି ।