କନକ ବ୍ୟୁରୋ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ରବିବାର ବିଜେପି ନିଜର ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ଲିଷ୍ଟରେ ମୋଟ ୧୧୧ ଜଣ ପ୍ରାର୍ଥୀଙ୍କ ନାଁ ରହିଥିବାବେଳେ, ଓଡିଶାର ମଧ୍ୟ ୧୮ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହେଇଛି । ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପଶ୍ଚିମବଙ୍ଗରେ ଚର୍ଚ୍ଚିତ ଟିଏମସି ନେତ୍ରୀ ମହୁଆ ମୋଇତ୍ରଙ୍କୁ ହରାଇବା ପାଇଁ ବଡ୍ ଚାଲ୍ ଖେଳିଛି ଭାରତୀୟ ଜନତା ପାର୍ଟି । ମହୁଆଙ୍କ ବିରୋଧରେ ଲଢିବାକୁ ବିଜେପି ରାଜମାତା ଅମୃତା ରାୟଙ୍କୁ ଟିକେଟ୍ ଦେଇଛି ।

କୁହାଯାଉଛି ମହୁଆଙ୍କୁ ଟକ୍କର ଦେବାକୁ ବିଜେପିର ଏହା ବଡ ଚାଲ୍ ହେଇପାରେ । କାହିଁକି ନା, କୃଷ୍ଣନଗରର ପ୍ରତିଷ୍ଠିତ ରାଜପରିବାରର ରାଜମାତା ହେଉଛନ୍ତି ଅମୃତା ରାୟ । ତାଙ୍କ ପଛରେ ଭଲ ଜନ ସମର୍ଥନ ରହିଛି । ତେଣୁ ତାଙ୍କୁ ଟିକେଟ୍ ଦେଇ ବିଜେପି ଏହି ଆସନ ଦଖଲ କରିବାକୁ ଲକ୍ଷ୍ୟରେ ରହିଛି ।

ଅମୃତା ରାୟ ଗତ ମାର୍ଚ୍ଚ ୨୦ ତାରିଖରେ ବିଜେପିରେ ସାମିଲ ହେଇଥିଲେ । ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ସେ ପଦ୍ମ ଶିବିରରେ ଯୋଗ ଦେଇଥିଲେ । ତେବେ ରାଜନୈତିକ ବିଶ୍ଲେଷକଙ୍କ କହିବା କଥା, ଅମୃତା ରାୟ ବିଜେପି ଟିକେଟରେ ଲଢିବା ଭାରତୀୟ ଜନତା ପାର୍ଟି ପାଇଁ ଲାଭଦାୟକ ହେବ । ଆଉ ସେ ମହୁଆ ମୋଇତ୍ରଙ୍କୁ ଭଲ ଟକ୍କର ମଧ୍ୟ ଦେଇପାରିବେ ।

୨୦୧୯ ଲୋକସଭା ନିର୍ବାଚନରେ କୃଷ୍ଣନଗର ଆସନରୁ ବଡ ବିଜୟ ହାସଲ କରିଥିଲେ ଟିମ୍ସି ନେତ୍ରୀ ମୋହୁଆ ମୋଇତ୍ର । ବିଜେପିର କଲ୍ୟାଣ ଚୌବେଙ୍କୁ ହରାଇ ସେ ବଡ ବିଜୟ ହାସଲ କରିଥିଲେ । ନିର୍ବାଚନରେ ୬୩ ହଜାରରୁ ଅଧିକ ଭୋଟ୍ ପାଇଁ ବିଜୟୀ ହେଇଥିଲେ ମହୁଆ ମୋଇତ୍ର । ହେଲେ ଏଥର କିନ୍ତୁ ମହୁଆଙ୍କୁ ଟକ୍କର ଦେବାକୁ ବିଜେପି ଖାସ୍ ରଣନୀତି ଚିନ୍ତା କରିଥିଲା । ଆଉ ଦୀର୍ଘ ସମୟର ଚର୍ଚ୍ଚା ଆଲୋଚନା ପରେ, ଦଳ ଏହି ଆସନରୁ ରାଜମାତାଙ୍କୁ ଟିକେଟ୍ ଦେଇ ବଡ ଚାଲ୍ ଖେଳିଛି ।