କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭାର ଅଧ୍ୟକ୍ଷ ବିମାନ ବାନାର୍ଜୀ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମେତ ୭ ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର କରିଛନ୍ତି । ଗୃହରେ ସେ ବିଜେପିର ଦୁଇ ବିଧାୟକ ଦ୍ୱାରା ଦୁଇଟି ପ୍ରସ୍ତାବ ଉପରେ ବିଚାର କରି ଏହି ନିଷ୍ପତ୍ତି ନେଇଛନ୍ତିା
ଦ୍ୱିପ୍ରହରରେ ବିଧାନସଭାର ଗୃହକାମ ଆରମ୍ଭ ହେବା ପରେ ବାଚସ୍ପତି, ବିଧାୟକ ଅଗ୍ନିମିତ୍ର ପଲଙ୍କୁ ପ୍ରସ୍ତାବର ଶେଷ ଦୁଇଲାଇନ ପଢିବାକୁ କହିଥିଲେ ଏଥିରେ ଶୁଭେନ୍ଦୁ ଅଧିକାରୀଙ୍କ ସମେତ ୪ ବିଧାୟକ ମନୋଜ ତିଗା, ନରହରି ମହତୋ, ମିହିର ଗୋସ୍ୱାମୀ, ଶଙ୍କର ଘୋଷଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ପାଇଁ ଅନୁରୋଧ ହୋଇଥିଲା । ଏହା ପରେ ବାଚସ୍ପତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହ ବିଚାର ବିମର୍ଶ କରି ବିଧାୟକଙ୍କ ଉପରେ ହୋଇଥିବା ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଥିଲେ । ସଦନରେ ଅନ୍ୟଜଣେ ବିଜେପି ବିଧାୟକ ଶିଖା ଚାଟାର୍ଜୀ ଆଉ ଗୋଟିଏ ପ୍ରସ୍ତାବ ରଖିଥିଲେ । ଏଥିରେ ବିଧାୟକ ମିହିର ଗୋସ୍ୱାମୀ, ସୁଦୀପ ମୁଖୋପାଧ୍ୟାୟଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ଅନୁରୋଧ ହୋଇଥିଲା ।
ତେବେ ମାର୍ଚ୍ଚ ୨୮ରେ ପଶ୍ଚିମବଙ୍ଗ ବିଧାନସଭାରେ ତୃଣମୂଳ କଂଗ୍ରେସ ଏବଂ ଭାଜପା ବିଧାୟକ ମଧ୍ୟରେ ହଙ୍ଗାମା ହୋଇଥିଲା ଏହାକୁ ନେଇ ବାଚସ୍ପତି ଶୁଭେନ୍ଦୁ ଅଧିକାରୀ ସମେତ ଅନ୍ୟ ୪ ବିଧାୟକଙ୍କୁ ନିଲମ୍ବିତ କରିଥିଲେ । ଏହି ମାମଲାରେ ଶୁଭେନ୍ଦୁ ଅଧିକାରୀ କହିଥିଲେ, ବୀରଭୂମି ହିଂସା ମାମଲାରେ ବିଧାନସଭାରେ ହଙ୍ଗାମା ହୋଇଥିଲା । ବିରୋଧ ଦଳ ଅନ୍ତିମ ଦିନରେ ଆଇନ ବ୍ୟବସ୍ଥା ଉପରେ ଚର୍ଚ୍ଚା ପାଇଁ ଦାବି କରିଥିଲେ । ତେବେ ସରକାର ମନା କରିଥିଲେ । ତୃଣମୂଳ କଂଗ୍ରେସର ସଦସ୍ୟ ଆମର ୮ରୁ ୧୦ ବିଧାୟକଙ୍କ ସହ ସଂଘର୍ଷ ପାଇଁ କୋଲକାତା ପୋଲିସର କିଛି କର୍ମୀଙ୍କୁ ସାଧାପୋଷାକରେ ଗୃହ ଭିତରକୁ ଆଣିଥିଲେ । ବୀରଭୂମି ହିଂସା ଘଟଣାକୁ ନେଇ ବିଜେପି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଥିଲେ । ଏହା ପରେ ଗୃହରେ ହଙ୍ଗାମା ହୋଇଥିଲା ।