ମମତାଙ୍କ ବାଟ ଓଗାଳିବାକୁ ‘ମିଥୁନ୍’ ଅସ୍ତ୍ର! ଭୋଟ୍ ପୂର୍ବରୁ ବିଜେପିରେ ସାମିଲ ହେଲେ ବଲିଉଡର ଭେଟେରାନ୍ ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀ ।

342
କନକ ବ୍ୟୁରୋ: ମୋଦିଙ୍କ ରାଲିରେ ମିଥୁନଙ୍କ ଉପସ୍ଥିତିକୁ ନେଇ ଯାହା ଆକଳନ କରାଯାଉଥିଲା ତାହା ହିଁ ହୋଇଛି । କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଂଚିବା ପୂର୍ବରୁ ମିଥୁନ୍ ଗେରୁଆ ଦଳରେ ସାମିଲ ହୋଇଛନ୍ତି । ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ମିଥୁନ ଭେଟିବା ପରେ ଯେଉଁ ଆକଳନ କରାଯାଉଥିଲା ତାହା ବାସ୍ତବରେ ପରିଣତ ହୋଇଛି । ରାଜ୍ୟ ବିଜେପି ନେତାମାନେ ଏନେଇ ବାରମ୍ବାର ସଂକେତ ଦେଇଆସୁଥିଲେ । କୁହାଯାଉଛି ମମତାଙ୍କୁ କାଉଂଟର କରିବାକୁ ବିଜେପି ଏକ ବଙ୍ଗୀୟ ଚେହେରା ଖୋଜୁଥିଲା । ଆଉ ମିଥୁନଙ୍କ ଆକାରରେ ଦଳକୁ ତାହା ମିଳିଯାଇଛି ।
ତେବେ ଆଜି ଦିନ ୨ଟାରେ କୋଲକାତାର ବ୍ରିଗେଡ୍ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ମୋଦି ବିଶାଳ ସମାବେଶ କରିବେ । ଏହି ସମାବେଶରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଶଙ୍ଖନାଦ କରିବେ ମୋଦି । ପ୍ରଧାନମନ୍ତ୍ରୀଙ୍କ ଏହି ରାଲି ଜରିଆରେ ମମତା ବାନାର୍ଜୀଙ୍କ ବିରୋଧରେ, ବିଜେପି ରଣହୁଙ୍କାର ଦେବ । ମୋଦିଙ୍କ ରାଲିରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହେବା ଆକଳନ କରାଯାଉଛି । ରାଲିରେ ଯୋଗ ଦେବାକୁ ସକାଳୁ ସକାଳୁ ଜନସମାଗମ ଆରମ୍ଭ ହୋଇ ଯାଇଥିଲା । କୋଲକାତାର ବିଭିନ୍ନ ସ୍ଥାନରୁ ସମର୍ଥକ ବସ୍ ଯୋଗେ ବ୍ରିଗେଡ୍ ଗ୍ରାଉଣ୍ଡକୁ ଆସିଛନ୍ତି ।