ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା । ଦିଦି-ମୋଦିଙ୍କ ଭିତରେ ଜୋରଦାର ହେବ ଲଢେଇ ।

115

କନକ ବ୍ୟୁରୋ: ଲଢ଼େଇ ପାଇଁ ମୋଦି ପ୍ରସ୍ତୁତ, ଲଢ଼େଇ ପାଇଁ ଦିଦି ବି ପ୍ରସ୍ତୁତ । ବାକି ଥିଲା ନିର୍ବାଚନ କମିଶନଙ୍କ ତାରିଖ ଘୋଷଣା, ଆଜି ତାହା ବି ହୋଇଗଲା । ମାର୍ଚ୍ଚ ୨୭ରୁ ଆରମ୍ଭ ହେବ ନିର୍ବାଚନ । ସବୁଠାରୁ ବଡ କଥା ହେଉଛି, ପଶ୍ଚିମବଙ୍ଗର ଏହି ଲଢ଼େଇ, ବହୁ ତୁଙ୍ଗ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ । ପଶ୍ଚିମବଙ୍ଗ ଦେଇ ଓଡିଶା ଉପରେ ନଜର ରଖିଥିବା ବିଜେପି ପାଇଁ ଏହି ନିର୍ବାଚନ ଯେତିକି ଗୁରୁତ୍ୱପୂର୍ଣ୍ଣ, ନିଜର ଗଡ ରକ୍ଷା କରିବା ମମତାଙ୍କ ପାଇଁ ସେତିକି ବଡ ଆହ୍ୱାନ ।

ଯଦି ବିଜେପି ପଶ୍ଚିମବଙ୍ଗ ଦଖଲ କରିବ ତେବେ ଓଡିଶା ଆଡକୁ ଏହାର ନଜର ଆହୁରି ଜୋରଦାର ହେବ । ଏଥର ପଶ୍ଚିମବଙ୍ଗରେ ବିଜେପି ଯେତିକି ଜୋର ଲଗାଇଛି, ତାହାର କଣ ପରିଣାମ ଆସୁଛି, ସେଥିରୁ ଦେଶ ତଥା ଆଂଚଳିକ ରାଜନୀତିର ଭବିଷ୍ୟତ ନିର୍ଦ୍ଧାରଣ ହେବ ବୋଲି କୁହାଯାଇ ପାରିବ । ଓଡିଶାରେ ନବୀନ ସରକାର ପଂଚମ ପାଳିରେ ଶାସନ କରୁଥିବାବେଳେ ବିଜେପି ଭଳି ଶକ୍ତିକୁ ମାତ ଦେଇପାରିଛି । କିନ୍ତୁ ଆଗାମୀ ଦିନରେ ବିଜେପିର ଆଭିମୁଖ୍ୟ କଣ ରହିବ ତାହା ପଶ୍ଚିମବଙ୍ଗ ନିର୍ବାଚନ ପରେ ସ୍ପଷ୍ଟ ହେବାର ସମ୍ଭାବନା ରହିଛି ।

ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟ ଭିତରୁ କେବଳ ଆସାମରେ ବିଜେପିର ସରକାର ଅଛି । ତେଣୁ ଏହି ନିର୍ବାଚନ ବିଜେପି ପାଇଁ ଯେତିକି ସମ୍ମାନର ପ୍ରଶ୍ନ ନୁହେଁ, ସେତିକି ଗଡ ଜିିତିବାର ଆହ୍ୱାନ । କିନ୍ତୁ ତା ଭିତରେ ଆସାମରେ ପୁଣି ଶାସନକୁ ଫେରିବା ବିଜେପି ପାଇଁ ବଡ ଆହ୍ୱାନ ହୋଇ ରହିଛି । କାରଣ, ଏନଆରସି ଲାଗୁ ହେବା ପରେ ସେଠାରେ ଏହାକୁ ନେଇ ଘୋର ବିରୋଧ ଦେଖିବାକୁ ମିଳିଛି । ସେପଟେ ଦକ୍ଷିଣ ଭାରତର କର୍ଣ୍ଣାଟକ ପରେ ତାମିଲନାଡୁ, ପୁଡୁଚେରୀ ଓ କେରଳରେ ବିଜେପି ମର୍ଯ୍ୟାଦା ସମ୍ପନ୍ନ ସଂଖ୍ୟା ହାସଲ ପାଇଁ ଜୋରଦାର ଉଦ୍ୟମ କରିବ ।