ବିଜେପି ବିରୋଧରେ ବିରୋଧୀଙ୍କୁ ଏକାଠି କରିବାକୁ କଂଗ୍ରେସ ଚଳାଇଛି ପ୍ରୟାସ, ସୋନିଆ ଗାନ୍ଧୀଙ୍କ ବୈଠକରେ ଯୋଗ ଦେବେ ମମତା ବାନାର୍ଜୀ

175

କନକ ବ୍ୟୁରୋ : ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧୀମାନଙ୍କୁ ଏକଜୁଟ କରିବାକୁ ପ୍ରୟାସ ଆରମ୍ଭ କରିଛି କଂଗ୍ରେସ । ଏହି କ୍ରମରେ ଅଗଷ୍ଟ ୨୦ ତାରିଖରେ ବିରୋଧୀଦଳ ନେତାଙ୍କୁ ନେଇ ସୋନିଆ ଗାନ୍ଧୀ ଏକ ବୈଠକ କରିବାକୁ ଯାଉଛନ୍ତି । ଏହି ବୈଠକରେ ସମାନ ବିଚାରଧାରା ଥିବା ଦଳର ନେତାମାନେ ଯୋଗଦେବେ । ଏହି ବୈଠକ ଭର୍ଚୁଆଲ ପ୍ଲାଟଫର୍ମରେ ହେବ । ଏହି ବୈଠକରେ ଅନ୍ୟମାନଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମିଲ ହେବେ । କହିରଖୁ କି ଏହି ବୈଠକରେ ମମତା ବାନାର୍ଜୀଙ୍କ ସହ ଅନେକ ବିରୋଧୀଦଳର ନେତା ବି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

କହିରଖୁ କି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିପୁଳ ଆସନରେ ବିଜୟଲାଭ କରି ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ ଦିଲ୍ଲୀ ଗସ୍ତରେ ଯାଇ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ ମମତା ବାନାର୍ଜୀ । ଏହି ଗସ୍ତବେଳେ ସେ କଂଗ୍ରେସର ବରିଷ୍ଠ ନେତା କମଲ ନାଥଙ୍କ ସହ ବିରୋଧୀଦଳର ଅନେକ ନେତାଙ୍କୁ ଭେଟିଥିଲେ । ଏହାପରେ ମମତା ବାନାର୍ଜୀଙ୍କ ପକ୍ଷରୁ ବିଜେପି ବିରୋଧରେ ଏକ ମେଣ୍ଟ ପ୍ରସ୍ତୁତ କରିବାକୁ ପ୍ରୟାସ ଆରମ୍ଭ ହୋଇଛି । ୨୦ ତାରିଖରେ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଯୋଗ ଦେବାକୁ ସହମତି ପ୍ରକାଶ କରିଛନ୍ତି । ଏହାପୂର୍ବରୁ କଂଗ୍ରେସର ବରିଷ୍ଠ ନେତା କପିଲ ଶିବଲ ବି ନଜ ବାସଭବନରେ କିଛି ବିରୋଧୀ ନେତାଙ୍କୁ ନେଇ ଏକ ବୈଠକ କରିଥିଲେ ।

ଅଗଷ୍ଟ ୨୦ ରେ ହେବାକୁ ଥିବା ବୈଠକରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ସମେତ ବାମଦଳ ଓ ଅନ୍ୟ ବିରୋଧୀଦଳର ନେତାମାନଙ୍କୁ ସୋନିଆ ଗାନ୍ଧୀଙ୍କ ତରଫରୁ ନିମନ୍ତ୍ରଣ କରାଯାଇଛି । ଅନୁମାନ କରାଯାଉଛି କି ଏହି ବୈଠକରେ ଆଗାମୀ ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ନେଇ ବିଶେଷ ଆଲୋଚନା ହୋଇପାରେ ।