କନକ ବ୍ୟୁରୋ : ସେସୁ, ନେସ୍କୋ ପରେ ଏବେ ବିଜୁଳି ଗ୍ରାହକଙ୍କୁ ୱେସ୍କୋର ଚେତାବନୀ । ଆସନ୍ତା ୧୮ ତାରିଖ ସୁଦ୍ଧା ବକେୟା ବିଜୁଳି ବିଲ୍ ପଇଠ ନକଲେ କାଟି ଦିଆଯିବ ବିଜୁଳି ସଂଯୋଗ । ଏପରି ନିଷ୍ପତି ନେଇଛି ୱେସ୍କୋ । ଏନେଇ ୱେସ୍କୋ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି । ୱେସ୍କୋ ଦେଇଥିବା ତଥ୍ୟ ଅନୁସାରେ ବିଭିନ୍ନ ଘରୋଇ କମ୍ପାନୀ ଗୁଡିକ ଉପରେ ପ୍ରାୟ ୨ ହଜାର ୧୧୭ କୋଟି ଟଙ୍କାର ବିଜୁଳି ବିଲ୍ ବାକି ପଡିଛି ।
ଏହା ସହିତ ଗତ ୨ ବର୍ଷ ମଧ୍ୟରେ ୧ ଲକ୍ଷ ୨୫ ହଜାର ୧୭୦ ଜଣ ବିଜୁଳି ଉପଭୋକ୍ତା ଥରେ ହେଲେ ବି ବିଜୁଳି ବିଲ୍ ପୈଠ କରିନାହାନ୍ତି । ୨ ଲକ୍ଷ ୫୭ ହଜାର ୬୫୨ ଉପଭୋକ୍ତାଙ୍କ ଉପରେ ୨୫ ହଜାରରୁ ଅଧିକ ଟଙ୍କାର ବିଜୁଳି ବିଲ୍ ବକେୟା ରହିଛି । ୫୦ ହଜାରରୁ ଅଧିକ ଟଙ୍କାର ବିଜୁଳି ବିଲ୍ ବାକି ଥିବା ଗ୍ରାହକଙ୍କ ସଂଖ୍ୟା ୧ ଲକ୍ଷ ୩୪ ହଜାର ୫୬୧ । ସେହିପରି ଏଚଟି, ଇଏଚଟି ନିକଟରେ ୪୦୬ କୋଟି ଟଙ୍କା ବାକି ପଡିଛି ।
ପଶ୍ଚିମ ଓଡିଶାରେ ୯ଟି ଜିଲ୍ଲାକୁ ବିଜୁଳି ସେବା ଯୋଗାଇ ଦେଉଛି ୱେସ୍କୋ । ସରକାରଙ୍କ ଚିଠି ଅନୁସାରେ ଫେବ୍ରୁଆରୀ ମାସ ଶେଷ ସୁଦ୍ଧା ବିଲ୍ ପୈଠ କରାନଗଲେ କାଟି ଦିଆଯିବ ବିଜୁଳି ସେବା । ସରକାରୀ କ୍ୱାର୍ଟର ଗୁଡିକ ସମ୍ପର୍କରେ ସରକାର କୌଣସି ଚିଠି ଦେଇନଥିବାରୁ ସେଗୁଡିକୁ ଆସନ୍ତା ଫେବ୍ରୁଆରୀ ୧୮ ତାରିଖ ଭିତରେ ବିଜୁଳି କାଟି ଦିଆଯିବ ବୋଲି ସୂଚନା ଦେଇଛି ୱେସ୍କୋ ।