ଅଷ୍ଟ୍ରେଲିଆର ମାଥ୍ୟୁ ୱେଡଙ୍କ ବ୍ୟାଟିଂକୁ ନେଇ ଚର୍ଚ୍ଚା : କ୍ୟାନସରକୁ ମାତ୍ ଦେଇଥିବା ଖେଳାଳି କ୍ରିକେଟ ପଡିଆରେ କମାଲ କରି ଜିତିଲେ ହୃଦୟ

ହ୍ୟାଟ୍ରିକ୍ ଛକ୍କା ସହ ପାକିସ୍ତାନ ହାତରୁ ଛଡ଼ାଇ ଆଣିଲେ ବିଜୟ

442

କନକ ବ୍ୟୁରୋ : ସେମିଫାଇନାଲରେ କମାଲ କଲେ ମାଥ୍ୟୁ ୱେଡ୍ । ନିଶ୍ଚିତ ବିଜୟ ମ୍ୟାଚକୁ ପାକିସ୍ତାନ ହାତରୁ ଛଡାଇ ଆଣିଲେ । ଚାପ ଭିତରେ କିପରି ମ୍ୟାଚକୁ ଜିତିବାକୁ ହୁଏ ତାହା ମାଥ୍ୟୁଙ୍କଠାରୁ ଶିଖିବା ଦରକାର । ମାଥ୍ୟୁ ୱେଡଙ୍କ ପ୍ରତ୍ୟେକ ସଟ୍ ଆତ୍ମବିଶ୍ୱାସ ଭରା ଥିଲା । କ୍ୟାନସରକୁ ମାତ୍ ଦେଇଥିବା ଅଷ୍ଟ୍ରେଲିଆର ଏହି ଷ୍ଟାର ଖେଳାଳି ଏବେ ଚର୍ଚ୍ଚାରେ । ରଙ୍ଗକୁ ଭଲ ଭାବରେ ବାରିପାରୁନଥିବା ଏହି ଖେଳାଳି ପାକିସ୍ତାନ ବିପକ୍ଷ ମ୍ୟାଚରେ ଯେପରି ପ୍ରଦର୍ଶନ କରିଥିଲେ, ତାହା କେବଳ ଅଷ୍ଟ୍ରେଲିଆ ନୁହେଁ ପୂରା ବିଶ୍ୱର କ୍ରିକେଟ୍ ଫ୍ୟାନଙ୍କୁ ଆକର୍ଷିତ କରିଛି । ୫ ୱିକେଟ୍ ହରାଇ ସଂକଟରେ ପଡିଯାଇଥିବା ଅଷ୍ଟ୍ରେଲିଆ ସମ୍ଭବତଃ ତାର ଶେଷ ବ୍ୟାଟିଂ ଯୋଡି ଷ୍ଟୋନିସ୍ ଓ ୱେଡଙ୍କ ଉପରେ ନିର୍ଭରଶୀଳ ଥିଲା ।

ଆଉ ଗୋଟିଏ ୱିକେଟର ପତନ ହୋଇଥିଲେ ମ୍ୟାଚ୍ ପାକିସ୍ତାନ ପଟକୁ ଢଳି ଯିବାର ଆଶଂକା ବି ଥିଲା । ହେଲେ ମାଥ୍ୟୁ ମହାନ ଖେଳାଳିର ପରିଚୟ ଦେଇଥିଲେ । ୧୮ ତମ ଓଭରରେ ହସନ ଅଲ୍ଲୀଙ୍କଠାରୁ ୧୪ ରନ୍ ଆଦାୟ କରିବା ପରେ ଅଷ୍ଟ୍ରେଲିଆ ଆଗରେ ଶେଷ ୧୦ ବଲରୁ ବିଜୟ ପାଇଁ ୨୦ ରନ୍ର ଆବଶ୍ୟକତା ଥିଲା । ରନ୍ ରେଟ୍ ଥିଲା ଆକାଶଛୁଆଁ । ସାହିନ୍ ଆଫ୍ରିଦିଙ୍କ ପରି ବୋଲର ୧୯ ତମ ଓଭର ବୋଲିଂ କରୁଥିବା ବେଳେ ମାଥ୍ୟୁ ୱେଡଙ୍କ ଏକ ସହଜ କ୍ୟାଚ୍ ହସନ ଅଲ୍ଲୀ ହାତଛଡା କରିଥିଲେ । ଆଉ ତାପରେ ଯାହା ଘଟିଲା, ତାହା ଥିଲା ଇତିହାସ । ଲଗାତର ହ୍ୟାଟ୍ରିକ୍ ଛକ୍କା ମାରି କଙ୍ଗାରୁ ଦଳକୁ ଅବିଶ୍ୱନୀୟ ବିଜୟ ଦେବା ସହ ପାକିସ୍ତାନ ହାତରୁ ମ୍ୟାଚ୍ ଛଡାଇ ଆଣିଲେ ମାଥ୍ୟୁ ୱେଡ୍ । କ୍ୟାନ୍ସର ଯୁଦ୍ଧରେ ବିଜୟୀ ହୋଇଥିବା ୱେଡ୍, କ୍ରିକେଟ୍ ଯୁଦ୍ଧରେ ବିଜୟୀ ହୋଇ ନାୟକ ପାଲଟିଗଲେ ।