ତମେ ଆସିଛ ଯଦି ନୂଆବର୍ଷ
ତୁମକୁ କରୁଛୁ ସ୍ୱାଗତ...
ତମ ଆଗମନୀ ନଆଣୁ ଆତଙ୍କ
ତମ ଆସିବା ନହେଉ ଅଭିଶାପ
କଥାଦିଅ, କଥାଦିଅ... ୨୦୨୨
ତମେ ବି ନହୁଅ ୨୦, ୨୧ ପରି ଅଭିଶପ୍ତ...
କୋଡିଏ କବର ନେବା ପରେ କ୍ୟାଲେଣ୍ଡର ଓଲଟି ଯେବେ ୨୦୨୧ ଆରମ୍ଭ ହୋଇଥିଲା । ସେବେ ପ୍ରଥମ ବର୍ଷର ପହିଲି ସକାଳରେ ଉଇଁଥିଲା ୨୧ର ସୂର୍ଯ୍ୟ । ହେଲେ ବର୍ଷ ୨୦୨୧କୁ ନେଇ ବନ୍ଧାଯାଇଥିବା ଆଶା କିଛି ଦିନ ପରେ ଉଭେଇଯାଇଥିଲା । କୋଡିଏରେ କାଳ ସାଜିଥିବା କରୋନା ୨୧ରେ ଉକ୍ରଟ ରୂପନେଲା । ୨୧ ଆସୁ ଆସୁ ହିଁ ଅଭୁଲା କଥା, ଅକୁହା କାହାଣୀ, ଅବ୍ୟକ୍ତ ବେଦନା, ଆଉ ଅପ୍ରତ୍ୟାଶିତ ଆତଙ୍କର ମୁହାଁମୁହିଁ ହୋଇଥିଲା ମାନବଜାତି । ସମସ୍ତେ ଭାବିଥିଲେ କୋଡିଏର କଳାପଟାରେ ଲେଖା ହୋଇଥିବା କାଳଦିନ ସବୁ ୨୧ରେ ଓଲଟିବନି ବୋଲି... ହେଲେ ୨୧ ଆଶା ବଦଳରେ ଆଣିଦେଲା ନିରାଶା, ଆଖିରେ ଭରିଦେଲା ଅଶୁଖା ଅଶ୍ରୁ...
୨୦୨୦ରେ ସିନା କରୋନା ସାରା ବିଶ୍ୱକୁ କବଜା କରୁଥିଲା ହେଲେ ୨୧ ବେଳକୁ ମହାମାରୀ ମାରିବା ଆରମ୍ଭ କଲା । ସଂକ୍ରମଣ ସହ ଶବ କରିବା ଆରମ୍ଭ କରିଦେଲା କରୋନାର ୨ୟ ଲହର । ଗୋଟେ ପଟେ ହଜାର ହଜାର ଆକ୍ରାନ୍ତଙ୍କ ପାଇଁ ହସ୍ପିଟାଲରେ ବେଡ ମିଳୁନଥିଲା, ନିଶ୍ୱାସ ନିଅଣ୍ଟ ହୋଇଥିଲା । ଅନ୍ୟପଟେ ସଂକ୍ରମଣରେ ଶବ ପାଲଟୁଥିବା ମଣିଷଙ୍କ ଶେଷ ସଂସ୍କାର ପାଇଁ ଶ୍ମଶାନରେ ଜାଗାଟିଏ ନଥିଲା ।
ଖାଲି କରୋନା ନୁହେଁ ପ୍ରାକୃତିକ ବିପର୍ଯ୍ୟୟର ବି ସାମ୍ନା କରିଛି ଦେଶ, ବିଶ୍ୱ, ରାଜ୍ୟ । ବାତ୍ୟା ୟାସ୍ ଓଡିଶାରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଧନଜୀବନ ପ୍ରଭାବିତ କରିଥିଲା । ଆଉ ବାତ୍ୟା ଜୱାଦ ଚାଷୀର ଅଣ୍ଟା ଭାଙ୍ଗି ଦେଇଥିଲା । ପ୍ରାକୃତିକ ବିପର୍ଯ୍ୟୟ ଦେଶର ବିଭିନ୍ନ ରାଜ୍ୟରେ ପ୍ରଳୟ ଆଣିଥିଲା । ଅଦିନିଆ ବର୍ଷା ତୁହାକୁତୁହା ବନ୍ୟା ଆଣିଥିଲା । ଘର ଭାସିଥିଲା, ସହର ଭାସିଥିଲା । ପାଣିର ପ୍ରଖର ସୁଅରେ ବି ଭାସିଯାଇଥିଲା ଜୀବନ । ଆନ୍ଧ୍ରରୁ ଓଡିଶା, କେରଳରୁ କର୍ଣ୍ଣାଟକ, ପାଣିର ଚକ୍ରବ୍ୟୁହରେ ବି ଫଶିଯାଇଥିଲା, ବନ୍ୟାରେ ବୁଡି ତ୍ରାହି ତ୍ରାହି ଡାକୁଥିଲା ତାମିଲନାଡୁ । ଭୟଙ୍କର ଭୂକମ୍ପ, ଭୂସ୍ଖଳନ ଓ ହିମସ୍ଖଳନ ପାଇଁ ପୂରା ବିଶ୍ୱବାସୀ ଭୟରେ ଥରୁଥିଲେ । ଗ୍ଲାସିୟର ତରଳି ହେଉ କି ଭୂସ୍ଖଳନ ପାଇଁ ଦେବଭୂମିରେ ପ୍ରଳୟ ପରର ହାହାକାର ଦେଖିଥିଲା ଦେଶ । ଓଡିଶାରେ ଜଳିଥିଲା ଶିମିଳିପାଳ । ଲିଭୁନଥିଲା ନିଆଁ, କଇଁକଇଁ ହୋଇ କାନ୍ଦୁଥିଲା ପ୍ରକୃତି । ଆଖିରୁ ଲୁହ ଝରାଇଥିଲା ଓଡିଶା ।
ପ୍ରଳୟର କ୍ଷତଭରି ଭୂତାଣୁ ଭୟ ଭିତରେ ବି ଟୋକିଓରେ ଟେକ ରଖିଥିଲା ଭାରତ । ଦେଶର ପାଇଁ ଗୌରବ ଆଣିଥିଲେ ସୁନାପୁଅ, ସୁନାଝିଅମାନେ । କେବେ ଟୋକିଓ ମାଟିରେ ଭାରତ ଇତିହାସ ଲେଖୁଥିଲା ତ କେବେ ଓଡିଶା ନିଜ ସୁଯୋଗ୍ୟ ସନ୍ତାନମାନଙ୍କ ପାଇଁ ଛାତି ଫୁଲାଇ ଗର୍ବ କରୁଥିଲା । ଖୁସିର ଏହି ମହାର୍ଘ ୍ରୁହୂର୍ତ୍ତ ଦେଶର ଛାତିରେ ଗୌରବର ଗାର ଟାଣିଥିବା ବେଳେ ସେନା ହେଲିକପ୍ଟରର ହୃଦୟଥରା ଦୁର୍ଘଟଣା ଦେଶର ଛାତିକୁ ଦୋହଲାଇ ଦେଲା । ସିଡିଏସ ବିପିନ ରାୱତଙ୍କ ସମେତ ଚପରରେ ଥିବା ୧୪ ଜଣ ଆଖିବୁଜି ଦେଇ ସେପାରିକୁ ଚାଲିଗଲେ ।
ଏକୋଇଶର ଶେଷ ବେଳକୁ ହିଁ ବିଶ୍ୱ ସମେତ ଦେଶ ଏବଂ ଓଡିଶାରେ ଆତଙ୍କ ଖେଳାଇଦେଲା ଓମିକ୍ରନ । ବିଦେଶରେ ଜଙ୍ଗଲୀ ନିଆଁ ପରି କରୋନାର ନୂଆ ପ୍ରଜାତି ମାଡି ଚାଲିଥିବା ବେଳେ ଓଡିଶାରେ ବି ମାମଲା ବଢି ବଢି ଚାଲିଛି । ଯାହା ୨୧ ଦୁଃଖକୁ ପୁଣି ୨୨ରେ ରିପିଟ୍ ହେବାର ସମ୍ଭାବନା ରହିଥିବା ଅନୁମାନ କରିହେଉଛି । ଆଉ ୟାରି ଭିତରେ ବିଦାୟ ନେଇଛି ବର୍ଷ ୨୦୨୧ । ନୂଆନୂଆ ପାଦ ଦେଇଛି ନୂଆବର୍ଷ । ରାତି ପାହିଛି, ସକାଳ ହୋଇଛି, ନୂଆ ସୂର୍ଯ୍ୟୋଦୟ ସହ ଆରମ୍ଭ ହୋଇଛି ବର୍ଷ ୨୦୨୨ । ହେଲେ ତଥାପି ମନରେ କେଉଁଠି ନା କେଉଁଠି ଭୟ ରହୁଛି... ତେଣୁ କଥାଦିଅ ନୂଆବର୍ଷ କଥାଦିଅ... ତମେ ଯେମିତି ୨୧ ପରି ନହୁଅ ଅଭିଶପ୍ତ । ଏ ବର୍ଷ ଆଶାର ବର୍ଷ ହେଉ, ଆକାଂକ୍ଷାର ବର୍ଷ ହେଉ, ହେଉ ବି ଆଶିର୍ବାଦର ବର୍ଷ । ସମାଧି ନେଉ ସଂକ୍ରମଣ, ଭସ୍ମ ହେଉ ଭୂତାଣୁ, ଏଥର ପଜିଟିଭ ଶବ୍ଦର ଅର୍ଥ ସେହି ପଜିଟିଭ ହିଁ ରହୁ, ପଜିଟିଭ ଶୁଣି କେହି ଯେମିତି ଦୂରେଇ ନଯାଆନ୍ତୁ। ବର୍ଷ ୨୦୨୨ ହେଉ ବିଶ୍ୱାସର ବର୍ଷ, ବିଜୟର ବର୍ଷ, ସୁସ୍ଥତାର ବର୍ଷ । ଓମିକ୍ରନ ସହ ଲଢିବାକୁ ଶକ୍ତି ଦେଉ ଏ ନୂଆବର୍ଷ । ଏତିକି ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା । ସମସ୍ତଙ୍କୁ ନୂଆବର୍ଷର ହାର୍ଦ୍ଦିକ ଅଭିନନ୍ଦନ... ହାପି ନ୍ୟୁ ଇଅର...
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/53-6.jpg)
/kanak/media/post_attachments/wp-content/uploads/2021/12/50-6.jpg)
/kanak/media/post_attachments/wp-content/uploads/2021/12/45-7.jpg)