ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଲେ ଅନୀଲ ଦେଶମୁଖ । କହିଲେ ଦୁର୍ନୀତି ଅଭିଯୋଗର ହେଉ ତଦନ୍ତ

109

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ମହାଭାରତକୁ ନେଇ ଶେଷରେ ମୁହଁ ଖୋଲିଛନ୍ତି ଅଭିଯୁକ୍ତ ତଥା ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ୍ । ତାଙ୍କ ନାମରେ ପୂର୍ବତନ ପୋଲିସ କମିଶନର ପରମବୀର ସିଂ ଆଣିଥିବା ଅଭିଯୋଗ ଉପରେ ତଦନ୍ତ ହେଉ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି । ବିରୋଧୀଦଳ ତାଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହିବା ପରେ ଗତକାଲି ଅଧରାତିରେ ଏନେଇ ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଉକ୍ତ ଚିଠିଟିକୁ ସେୟାର କରିଛନ୍ତି । ଏହି ଚିଠିରେ ସେ ଲେଖିଛନ୍ତି କି ତାଙ୍କ ବିରୋଧରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ଆଣିଥିବା ଅଭିଯୋଗର ତଦନ୍ତ ହେଉ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ମରାଠୀ ଭାଷାରେ କରିଥିବା ଟ୍ୱିଟ୍ ରେ ସେ ଲେଖିଛନ୍ତି କି ‘ମୋ ବିରୋଧରେ ପରମବୀର ସିଂ ଅଣିଥିବା ଅଭିଯୋଗର ତଦନ୍ତ କରାଯାଇ ସତ୍ୟତାର ପରିପ୍ରକାଶ କରିବାକୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ’ । ସେହିଭଳି ଅନ୍ୟଏକ ଟ୍ୱିଟରେ ସେ ଲେଖିଛନ୍ତି କି ମୁଖ୍ୟମନ୍ତ୍ରୀ ଯଦି ଏହି ଘଟଣାର ତଦନ୍ତ କରିବେ ମୁଁ ତାକୁ ସ୍ୱାଗତ କରିବି । ସତ୍ୟମେବ ଜୟତେ । ତଦନ୍ତ ହେଲେ ଗହମରୁ ତୁଷ ଅଲଗା ହୋଇଯିବ ।

କହିରଖୁ କି ମୁମ୍ବାଇ ପୂର୍ବତନ ପୋଲିସ କମିଶନର ପରମବୀର ସିଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିକଟକୁ ଏକ ଚିଠି ଲେଖିଥିଲେ । ସେଥିରେ ସେ ଉଲ୍ଲେଖ କରିଥିଲେ କି ଗୃହମନ୍ତ୍ରୀ ଅନୀଲ ଦେଶମୁଖ ମାସିକ ୧୦୦ କୋଟି ଟଙ୍କା ଆଦାୟ କରିବାକୁ ତାଙ୍କ ଉପରେ ଚାପ ପକାଉଥିଲେ ।