ପ୍ରଧାନମନ୍ତ୍ରୀଙ୍କ ୩ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ : କହିଲେ, ବିଜେଡ଼ି ସଦାସର୍ବଦା ଚାଷୀଙ୍କ ସହିତ ରହିଛି

269

କନକ ବ୍ୟୁରୋ : ତିନି କୃଷି ଆଇନ ପ୍ରତ୍ୟାହାର ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ପ୍ରଧାନମନ୍ତ୍ରୀଙ୍କ ୩କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ସ୍ୱାଗତ । ଦେଶ ଓ କୃଷକଙ୍କ ହିତ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ । ବିଜେଡି ସଦାସର୍ବଦା ଚାଷୀଙ୍କ ସହିତ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ଷମା ମାଗିବା ସହ ପ୍ରଧାମନ୍ତ୍ରୀ ସ୍ବୀକାର କରିଛନ୍ତି ଯେ, କୃଷି ଆଇନ ସମ୍ବନ୍ଧରେ ଗୋଟିଏ ଗୋଷ୍ଠୀର କୃଷକମାନଙ୍କୁ ବୁଝାଇବାରେ ସରକାର ଅସମର୍ଥ ହୋଇଛି। ଚଳିତ ମାସରେ ହେବାକୁ ଥିବା ସଂସଦୀୟ ଅଧିବେଶନରେ ତିନି କୃଷି ଆଇନ ଉ‌ଚ୍ଛେଦ ପାଇଁ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି । କୃଷକମାନଙ୍କୁ ନିବେଦନ କରି ସେ କହିଛନ୍ତି, ଆଜି ଗୁରୁ ପୂରବ। କୃଷକମାନଙ୍କୁ ଅନୁରୋଧ କରୁଛୁ ଦୟାକରି ନିଜନିଜର ଘରପରିବାରକୁ ଫେରି ଯାଆନ୍ତୁ ।

ପ୍ରଧାନମନ୍ତ୍ରୀ କହିଲେ, ସତ୍ୟ ଓ ଅନାବିଳ ହୃଦୟରେ ମୁଁ ଭାରତବାସୀଙ୍କୁ କ୍ଷମା ମାଗୁଛି କୃଷକମାନଙ୍କୁ ବୁଝାଇବାରେ ଆମେ ଅସମର୍ଥ ହୋଇଛୁ । ତିନି କୃଷି ଆଇନ ଉଚ୍ଛେଦ କରିବା ଲାଗି ମୁଁ ଘୋଷଣା କରୁଛି । ଏ ସଂକ୍ରାନ୍ତ ସମସ୍ତ ଔପଚାରିକତା ଚଳିତ ମାସ ଅଧିବେଶନରେ ଆମେ ଶେଷ କରିବୁ । ଦେଶବାସୀ ମୋତେ ପ୍ରଧାନମନ୍ତ୍ରୀ କରିବା ସମୟରୁ ମୁଁ ‘କୃଷି ବିକାଶ’ ଉପରେ ସବୁଠୁ ଅଧିକ ଗୁରୁତ୍ବ ଦେଇଥିଲି । ମୁଁ ଯାହା କରିଥିଲି, କୃଷକମାନଙ୍କ ପାଇଁ ହିଁ କରିଥିଲି। ଯାହା ମୁଁ କରୁଛି ଦେଶ ପାଇଁ କରୁଛି। ଆପଣମାନଙ୍କ ଆଶୀର୍ବାଦରୁ ମୋର କଠିନ ପରିଶ୍ରମରୁ କୌଣସି ପ୍ରସଙ୍ଗ ବାଦ ଦେଇନାହିଁ। ଆଜି ମୁଁ ଆପଣମାନଙ୍କୁ ଭରସା ଦେଇ କହୁଛି ଯେ, ମୁଁ ଆହୁରି କଠୋର ପରିଶ୍ରମ କରୁଛି, ଫଳତଃ ଆପଣମାନଙ୍କର ସ୍ବପ୍ନ ଏବଂ ଦେଶର ସ୍ବପ୍ନ ସାକାର ହୋଇ ପାରିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ କୃଷି ଆଇନ ପ୍ରତ୍ୟାହାର କରିବା ନେଇ ଘୋଷଣା କରିବା ପରେ ଚାଷୀ ନେତା ରାକେଶ ଟିକାୟତ ଟୁଇଟ କରି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର ହେବନି । ସଂସଦରେ ଆଇନ ପ୍ରତ୍ୟାହର ନହେବା ପର୍ଯ୍ୟନ୍ତ ଅପେକ୍ଷା କରିବୁ । ସରକାର ଏମଏସପି ସହ ଚାଷୀଙ୍କର ଥିବା ଅନ୍ୟ ସମସ୍ୟା ଉପରେ ଆଲୋଚନା କରନ୍ତୁ ବୋଲି କହିଛନ୍ତି ଟିକାୟତ । ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାକୁ ନେଇ ଟୁଇଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି । ଦେଶର ଅନ୍ନଦାତାଙ୍କ ଆନ୍ଦୋଳନ ମାଧ୍ୟମରେ ଅହଂକାରର ମୁଣ୍ଡ ତଳକୁ ନୁଆଁଇଛନ୍ତି । ଅନ୍ୟାୟ ବିରୋଧରେ ହୋଇଥିବା ଏହି ବିଜୟକୁ ସ୍ୱାଗତ ଜଣାଇଛନ୍ତି ରାହୁଲ । ଜୟ ହିନ୍ଦ୍ ଏବଂ ଜୟ କିସାନ ବୋଲି କହିଛନ୍ତି ରାହୁଲ ।

ଆନ୍ଦୋଳନରତ କୃଷକଙ୍କୁ ଘରକୁ ଯିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଚଳିତ ସଂସଦ ଅଧିବେଶନରେ ଆଇନ ପ୍ରତ୍ୟାହାର ନେଇ ସାମ୍ବିଧାନିକ ପ୍ରକ୍ରିୟା ଶେଷ କରାଯିବ । ମୋଦି କହିଛନ୍ତି, କୃଷିରେ ସୁଧାର ଆଣିବା ପାଇଁ ସରକାର ତିନିଟି ନୂଆ ଆଇନ ଆଣିଥିଲେ । ଏହା ଦ୍ୱାରା କ୍ଷୁଦ୍ର ଚାଷୀଙ୍କୁ ଅଧିକ ଶକ୍ତି ମିଳିଥାନ୍ତା । ନୂଆ ଆଇନ ପାଇଁ ଦୀର୍ଘ ବର୍ଷ ଧରି କୃଷକ, ବିଶେଷଜ୍ଞ, ଅର୍ଥଶାସ୍ତ୍ରୀ ଦାବି ହୋଇ ଆସୁଥିଲା । ଯେତେବେଳେ ନୂଆ ଆଇନ ଆସିଥିଲା ସଂସଦରେ ଚର୍ଚ୍ଚା ହୋଇଥିଲା ।