ଅଲିମ୍ପିକ୍ସ ବିଜୟ ପରେ ଜନ୍ମମାଟି ସଉନାମୁରାରେ ଓଡ଼ିଆ ହକି ଖେଳାଳି । ଆଦିବାସୀ ପରମ୍ପରାରେ ହେଲା ଗୃହ ପ୍ରବେଶ । ଅମିତ ରୋହିଦାସଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀ ।

130

କନକ ବ୍ୟୁରୋ: ପାରମ୍ପରିକ ଆଦିବାସୀ ପରମ୍ପରାରେ ହକି ଖେଳାଳିଙ୍କ ଗୃହ ପ୍ରବେଶ  । ଅମିତ ରୋହିଦାସ ତାଙ୍କ ଗାଁ ସଉନାମୁରାରେ ପହଞ୍ଚିବା ପରେ ପରିବାର ଓ ଗାଁ ଲୋକଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି  । ଆଜି ସେ ଘରେ ପ୍ରବେଶ କରିବା ସମୟରେ ଘର ଗେଟ୍ ପାଖରୁ ଭିତର ପର୍ଯ୍ୟନ୍ତ କୁଲା ରଖାଯାଇଥିଲା  । ସେହି କୁଲା ଉପରେ ଚାଲି ଚାଲି ଘର ଭିତରକୁ ଯାଇଥିଲେ ଅମିତ ରୋହିଦାସ  । ଏହାପରେ ଘର ଭିତରେ କେକ୍ କାଟିବାର ବ୍ୟବସ୍ଥା କରାଯାଇଥିଲା  । କେକ୍ କାଟିବା ପରେ ଅମିତ ରୋହିଦାସଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ ତାଙ୍କ ଭଉଣୀମାନେ  । ଏହି ସମୟରେ ଦିବଙ୍ଗତ ବାପାଙ୍କୁ ମନେପକାଇଥିଲେ ଅମିତ ରୋହିଦାସ  । ଅଲିମ୍ପିକ୍ସରୁ ପଦକ ଜିତି ଫେରିଥିବାରୁ ବେଶ୍ ଖୁସି ଥିଲେ ପରିବାର ଲୋକେ  । ଦିଲ୍ଲୀପ ତୀର୍କିଙ୍କ ନେତୃତ୍ୱରେ ଅମିତଙ୍କ ଗାଁ ସଉନାମୁରାରେ ଆୟାଜିତ ହୋଇଥିଲା ଭବ୍ୟ ସ୍ୱାଗତ କାର୍ଯ୍ୟକ୍ରମ । ଏହା ପୂର୍ବରୁ ସୁନ୍ଦରଗଡ଼ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଥିଲା । ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରାଙ୍କୁ ସ୍ୱାଗତ କରିଥିଲେ ତଳସରା ବିଧାୟକ ଏବଂ ପ୍ରଶାସନିକ ଅଧିକାରୀ । ବାଜା, ବାଣ ଏବଂ ରୋଷଣୀରେ ସ୍ୱାଗତ କରିଥିଲେ ସ୍ଥାନୀୟ ବାସିନ୍ଦା ।