ସରକାରଙ୍କ ଅଜବ ନିୟମ। ପୁରୁଣା ବାଇକ୍ ପାଇଁ ତାଲିକାରୁ ବାଦ!

ସରକାରଙ୍କ ଅଜବ ନିୟମ। ପୁରୁଣା ବାଇକ୍ ପାଇଁ ତାଲିକାରୁ ବାଦ!

କନକ ବ୍ୟୁରୋ: କଟକ ଜିଲ୍ଲା ନିଆଳି ବ୍ଲକ କୃଷ୍ଣପ୍ରସାଦ ପଞ୍ଚାୟତର ଶଙ୍କର ରାଉତ । ଭଙ୍ଗା ଦଦରା ଚାଳ ଛପର ଘରେ କଟୁଛି ଦିନ । କିନ୍ତୁ ଘର ପାଇବାକୁ ପ୍ରକାଶ ପାଇଥିବା ସମ୍ଭାବ୍ୟ ତାଲିକାରେ ନାହିଁ ଶଙ୍କରଙ୍କ ନାଁ । କାରଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ବ୍ୟବସାୟ ପାଇଁ ସୋସାଇଟିରୁ ଲୋନ୍ ନେଇ ଏହି ସେକେଣ୍ଡ ହ୍ୟାଣ୍ଡ ବାଇକ୍ କିଣିଛନ୍ତି । ଏହି ବାଇକ୍ରେ ପରିବା ବେପାର କରି ଦୁଃଖ କଷ୍ଟରେ ପରିବାର ଚଳାନ୍ତି ଶଙ୍କର । କିନ୍ତୁ ବାଇକ୍ ଥିବାରୁ ସେ ପ୍ରଧାନମନ୍ତ୍ରୀ ଆବାସ ଟିଏ ପାଇବାରୁ ବଞ୍ଚିତ ହୋଇଥିବା କୁହାଯାଉଛି ।

ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ରେଢ଼ୁଆ ପଂଚାୟତ ଗହ୍ମପୁର ଗାଁ । ଏହି ଗାଁର ନବକିଶୋର ନାୟକ ଓ ରଶ୍ମୀ ରଞନ ନାୟକ । ଦିନମଜୁରୀ ଲାଗିଲେ ଚୁଲି ଜଳେ । ଘର କହିଲେ ଝାଟି ମାଟି, ଚାଳ ଛପର ଘର । ଘରର ଅଧା କାନ୍ଥ ଥିଲେ ଆଉ ଅଧା କାନ୍ଥ ନାହିଁ । ବାଉଁଶ ଖୁଂଟି ଭରଷାରେ ଛିଡା ହୋଇଛି ଘର । ରଶ୍ମୀଙ୍କ ଘରକୁ ଦେଖନ୍ତୁ । ଭଙ୍ଗା ଦଦରା ଆଜବେଷ୍ଟସ ଘର । ଅଧା ଆଜବେଷ୍ଟସ ଭାଙ୍ଗିଯାଇଛି । ବର୍ଷା ଦାଉରୁ ରକ୍ଷା ପାଇଁ ଆଜବେଷ୍ଟସ ଉପରେ ନଡିଆ ବାହୁଙ୍ଗା ପଡିଛି । ଅଧା କାନ୍ଥ କଞ୍ଚା ଇଟାରେ ମାଟି ଯୋଡେଇ ହୋଇଥିବାବେଳେ ଆଉ ଅଧା ଫାଙ୍କା ପଡିଛି । କୁକୁର, ମାଙ୍କଡ ଦାଉରୁ ରକ୍ଷା ପାଇବା ପାଇଁ ବାଉଁଶ ଖୁଣ୍ଟିପୋତା ହୋଇଛି । ହେଲେ ବିଡମ୍ବନାର ବିଷୟ ପ୍ରକାଶ ପାଇଥିବା ଆବାସ ଯୋଜନା ହିତାଧିକାରୀଙ୍କ ତାଲିକାରେ ସେମାନଙ୍କ ନାଁ ନାହିଁ । ଯାହାକୁ ନେଇ ସେମାନଙ୍କ ଭିତରେ ତେଜିଛି ଅସନ୍ତୋଷ ।

ତେବେ ଏହି ପ୍ରସଙ୍ଗରେ ପ୍ରଶାସନିକ ଅଧିକାରୀ ମୁହଁ ଖୋଲୁନଥିବାବେଳେ ସ୍ଥାନୀୟ ବିଧାୟକ କହିଛନ୍ତି, ତୁରନ୍ତ ତଦନ୍ତ କରାଯାଇ ପ୍ରକୃତ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇ ଦିଆଯିବ ।

ଆବାସ ଯୋଜନା ପାଇବା ପାଇଁ ସମ୍ଭାବ୍ୟ ହିତାଧିକାରୀ ତାଲିକା ପ୍ରକାଶ ପାଇବା ପରେ ଗାଁ ଗାଁରେ ଦେଖିବାକୁ ମିଳୁଛି ଉତେଜନା । ତାଲିକାରୁ ବାଦ୍ ପଡିବା ପରେ ଘର ଆଶାୟୀଙ୍କ ଅସନ୍ତୋଷ ବଢିବାରେ ଲାଗିଛି । ଗଞ୍ଜାମ ଜିଲ୍ଳା କବିସୂର୍ଯ୍ୟନଗରର ବ୍ଲକ । ଏଠାରେ ତାଲିକାରେ ନାଁ ନଥିବା ବିଭିନ୍ନ ପଂଚୟତାର ଲୋକ ବ୍ଲକ କାର୍ଯ୍ୟାଳୟରେ ପହଁଚି ପ୍ରତିବାଦ ଜଣାଇଛନ୍ତି । ତାଲିକାରେ ଅନିୟମିତତା ହୋଇଥିବା ଓ ଘର ପାଇଁ ଟଙ୍କା ମଗାଯାଉଥିବା ଅଭିଯୋଗ କରିବା ସହ ଠିକ୍ ଭାବରେ ଯାଞ୍ଚ କରି ସେମାନଙ୍କ ନାଁକୁ ତାଲିକାରେ ସାମିଲ କରିବାକୁ ଦାବି କରିଛନ୍ତି ।

ତାଲିକାରୁ ବାଦ ପଡିବା ପରେ ଘର ଆଶାୟୀଙ୍କ ଭିତରେ ଅସନ୍ତୋଷ ତେଜୁଥିବାବେଳେ, କନ୍ଧମାଳ ତୁମୁଡିବନ୍ଧରୁ ଆସିଛି ସାଂଘାତିକ ଅଭିଯୋଗ । ତାଲିକାରେ ଶିକ୍ଷକ, ଶିକ୍ଷୟତ୍ରୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ, ସରପଞ୍ଚଙ୍କ ସମେତ ବହୁ ଧନୀ ଲୋକଙ୍କ ନାଁ ରହିଥିବା ଅଭିଯୋଗ କରିଛନ୍ତି ବଞ୍ଚିତ ହୋଇଥିବା ହିତାଧିକାରୀ । ଯାହାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ସ୍ଥାନୀୟ ଅଞ୍ଚଳରେ ରାଜନୀତି ମଧ୍ୟ ଆରମ୍ଭ ହୋଇ ଯାଇଛି ।

ଏଠାରେ ପ୍ରଶ୍ନ ଉଠୁଛି, ଯଦି ଲୋନ୍ ନେଇ ସେକେଣ୍ଡ ହ୍ୟାଣ୍ଡ ବାଇକ୍ ଥିବାରୁ ଚାଳ ଛପର ଘର ରହୁଥିବା ଲୋକକୁ ଆବାସ ଯୋଜନାରେ ଘର ମିଳିବନି, ଦିନ ମଜୁରୀ ଲାଗୁଥିବା ଲୋକଙ୍କୁ ତାଲିକାରେ ସାମିଲ କରାଯିବନି, ତାହେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜାନାରେ ଘର ପାଇବାକୁ ଯୋଗ୍ୟ ହିତାଧିକାରୀ କିଏ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe