ଅନ୍ତର୍ଜାତୀୟ ପ୍ରତିଯୋଗିତାରୁ ଭାରୋତ୍ତଳକ ରବିକୁମାର ବାସନ୍ଦ । ୪ ବର୍ଷ ପାଇଁ ବ୍ୟାନ୍ ଲଗାଇଲା ନାଡା, ପରୀକ୍ଷାରୁ ମିଳିଲା ନିଷିଦ୍ଧ ସାମଗ୍ରୀ ।

166

କନକ ବ୍ୟୁରୋ : ଅନ୍ତର୍ଜାତୀୟ ଓଡିଆ ଭାରୋତ୍ତଳକ କେ ରବିକୁମାର ୪ ବର୍ଷ ପାଇଁ ବାସନ୍ଦ । ନାସନାଲ୍ ଆଂଟି ଡୋପିଂ ଏଜେନ୍ସି ବା ନାଡା ଏହି ବାସନ୍ଦ ଆଦେଶ ଲଗାଇଛି । ଡୋପିଂ ନିୟମକୁ ଉଲଂଘନ କରିବା ଅଭିଯୋଗରେ କେ ରବିକୁମାରଙ୍କ ସମେତ ଦେଶର ପ୍ରାୟ ୨୫ ଜଣ ଖେଳାଳିଙ୍କ ଉପରେ ଏହି ବାସନ୍ଦାଦେଶ ଲଗାଇଛି ନାଡା ।

ସୂଚନା ଅନୁସାରେ ୨୦୧୮ ମସିହାରେ କେ ରବିକୁମାର ସମସ୍ତ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । କିନ୍ତୁ ସେ ନେଉଥିବା ପ୍ରୋଟିନକୁ ନେଇ କିଛି ସମସ୍ୟା ନଥିଲା । ୨୦୧୯ ମସିହାରେ ଅନ୍ତର୍ଜାତୀୟ ସ୍ତରରେ ଅନେକ ସାମଗ୍ରୀକୁ କଟକଣା ଭିତରକୁ ଅଣାଯାଇଥିଲା । ଫଳରେ ମୂତ୍ର ନମୂନା ପରୀକ୍ଷାରେ ଫସି ଯାଇଥିଲେ ରବି କୁମାର । ତେବେ ତାଙ୍କର ଅଜାଣତରେ ଏପରି ହୋଇଥିଲା ବୋଲି ସେ ନାଡାକୁ ଜଣାଇଛନ୍ତି । ଏହି ମାମଲା ଏବେ ବିଚାରାଧୀନ ରହିଛି । ରବି କୁମାର ଆଶା ରଖିଛନ୍ତି ତାଙ୍କର ଆବେଦନକୁ ନାଡା ଗ୍ରହଣ କରିବ ।

୨୦୧୦ ମସିହାରେ ଦିଲ୍ଲୀ କମନୱେଲଥ ଗେମସରେ କେ ରବିକୁମାର ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିଣିଥିଲେ । ୨୦୧୨ ଅଲିମ୍ପିକ୍ସକୁ ରବି କୁମାର ଯାଇଥିଲେ ମଧ୍ୟ ସଫଳ ହୋଇନଥିଲେ । କେ ରବି କୁମାର ଆଶା ରଖିଛନ୍ତି ଆଗକୁ ତାଙ୍କ ମାମଲା ବିଚାର କରି ଏହି କଟକଣାକୁ କୋହଳ କରିବ ନାଡା । ସେ ପୁଣି ଥରେ ଅନ୍ତର୍ଜାତୀୟ ପ୍ରତିଯୋଗୀତାକୁ ଫେରିବେ ।