ପୁସ୍କର ମେଳାରେ ଛିଡା ହୋଇଛି ୨୪ କୋଟିର ଷଣ୍ଢ, ମାସକୁ ଖର୍ଚ୍ଚ ୨ ଲକ୍ଷ, ଦୈନିକ ପିଉଛି ୨୫ ଲିଟର କ୍ଷୀର

285

କନକ ବ୍ୟୁରୋ : ଯୋଦ୍ଧପୁରର ଅରବିନ୍ଦ ଜାଙ୍ଗିଡ ଗତ ରାତିରେ ୨୪ କୋଟିର ଷଣ୍ଢକୁ ଭୀମକୁ ନେଇ ପୁସ୍କର ମେଳାରେ ପହଂଚିଛନ୍ତି । ମେଳାର ମୋତିସର ରୋଡରେ ଏହାକୁ ପ୍ରଦର୍ଶନ ପାଇଁ ରଖାଯାଇଛି । ଏହି ଷଣ୍ଢକୁ ଦେଖିବାକୁ ମଙ୍ଗଳବାର ଦିନ ଏତେ ଲୋକଙ୍କ ଭିଡ ଲାଗିଛି ଯେ ସଡକ ପୁରା ଜାମ ହୋଇଯାଇଛି । ଅରବିନ୍ଦ କହିଛନ୍ତି କି କିଛିମାସ ପୂର୍ବରୁ ଯୋଦ୍ଧପୁରକୁ ଆସିଥିବା ଆଫଗାନର ଏକ ପରିବାର ଏହାକୁ ୨୪ କୋଟି ଟଙ୍କାରେ କିଣିନେବାକୁ ପ୍ରସ୍ତାବ ଦେଇଥିଲା । ମାତ୍ର ଅରବିନ୍ଦ ଏହାକୁ ବିକିବାକୁ ଚାହିଁ ନଥିଲେ । ଏହି ମେଳାକୁ ଅରବିନ୍ଦ ଭୀମକୁ ବିକିବାକୁ ନୁହେଁ ବରଂ ପଶୁମେଳାରେ ସାମିଲ କରିବାକୁ ଆଣିଥିବା କଥା କହିଛନ୍ତି ।

ଅରବିନ୍ଦ କହିଛନ୍ତି କି କେବଳ ଚଳିତ ବର୍ଷ ନୁହେଁ ସେ ଭୀମକୁ ୨୦୧୮ ଓ ୨୦୧୯ ରେ ବି ପୁସ୍କର ମେଳାକୁ ନେଇ ଆସିଥିଲେ । ଏହାସହ ଭୀମ ଅନେକ ମେଳାରେ ପ୍ରଦର୍ଶନ କରିସାରିଛି ଓ ମେଳାରେ ଆୟୋଜିତ ପଶୁ ପ୍ରତିଯୋଗିତିାରେ ଭାଗ ନେଇ ପୁରସ୍କାର ବି ଜିତି ସାରିଛି । ଏହାସହ ଆଗ୍ରହୀ ପଶୁପାଳକଙ୍କୁ ଅରବିନ୍ଦ ଭୀମର ସିମନ ପ୍ରଦାନ କରିଥାନ୍ତି ବୋଲି କହିଛନ୍ତି ।

୧୪ ଫୁଟ ଲମ୍ବ ଓ ୬ ଫୁଟ୍ ଉଚ୍ଚତା ବିଶିଷ୍ଠ ଷଣ୍ଢ ଭୀମର ଓଜନ ପାଖା ପାଖି ୧୫୦୦ କେଜି ହେବ । ଏହାର ଦେଖାରଖା ଓ ଖାଦ୍ୟ ବାବଦରେ ମାସିକ ୧.୫ ରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ । ଭୀମ ପ୍ରତିଦିନ ୧ ଲିଟର ଘିଅ ସହ ୨୫ ଲିଟର କ୍ଷୀର ପିଇଥାଏ । କେବଳ ସେତିକି ନୁହେଁ ଏହି ଷଣ୍ଢଟି ପ୍ରତିଦିନ ୫୦୦ ଗ୍ରାମ ଲହୁଣୀ ଓ ଏକ କିଲୋ କାଜୁବାଦମ ଖାଉଥିବା କଥା ଅରିବନ୍ଦ କହିଛନ୍ତି ।

ଅରବିନ୍ଦ କହିଛନ୍ତି କି ଭୀମ ଗତ ୨ ବର୍ଷ ମଧ୍ୟରେ ୨୦୦ କେଜି ଓଜନ ବଢିଥିବା ବେଳେ ଏହାର ଦାମ ୩ କୋଟି ଟଙ୍କା ବୃଦ୍ଧି ପାଇଛି । ପୂର୍ବ ୨ ବର୍ଷ ତଳେ ଭୀମର ଦାମ ୨୧ କୋଟି ଟଙ୍କା ହୋଇଥିବା ବେଳେ ଏବେ ଏହାର ଦାମ ୨୪ କୋଟିରେ ପହଂଚିଛି ।