ରୁଟି , ତରକାରୀ ଖାଇ ୧୯୪ କିଲୋ ଓଜନରୁ ୧୧୦ କିଲୋ କମାଇଲେ ଏହି ଡାକ୍ତର । ମାତ୍ର ୨ ବର୍ଷ ଭିତରେ ଫ୍ୟାଟରୁ ହେଲେ ଫିଟ୍

2,712

ବର୍ତ୍ତମାନର ଫାଷ୍ଟଫୁଡ଼୍ ସମୟରେ ସ୍ୱାସ୍ଥ୍ୟକର ଖାଦ୍ୟ ଯେମିତି ସ୍ୱପ୍ନ ହୋଇପଡ଼ିଛି ଏବଂ ସମୟ ଅଭାବ ହେଉ କି ଅଳସୁଆମି ଯୋଗ , ବ୍ୟାୟାମ କରିବାରେ କିଛି ଲୋକ ଆଗ୍ରହ ଦେଖାଉଥିବା ବେଳେ ଅନେକ ଲୋକ କଷ୍ଟ ଅନୁଭବ କରନ୍ତି । ଯାହା ଫଳରେ ଶରୀରରେ ଓଜନ ବଢିବା ସାମାନ୍ୟ କଥା ପାଲଟିଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଡାକ୍ତରଙ୍କ କଥା କହିବାକୁ ଯାଉଛୁ ଯେ ୧୧୦ କିଲୋ ଓଜନ କମାଇବାରେ ସଫଳ ହୋଇଛନ୍ତି । ନିଜର ଦୃଢ ଇଚ୍ଛାଶକ୍ତି ବଳରେ କେବଳ ୨ ବର୍ଷ ଭିତରେ ସେ ‘ଫ୍ୟାଟ୍ ରୁ ଫିଟ୍’ ହୋଇଛନ୍ତି ।

୨୮ ବର୍ଷୀୟ ଡାକ୍ତର ଅନିରୁଦ୍ଧ ଦିପକଙ୍କୁ ପିଲାବେଳୁ ହିଁ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାର ରୁଚି ଥିଲା । ଫାଷ୍ଟଫୁଡ଼କୁ ପସନ୍ଦ କରୁଥିବା ଅନିରୁଦ୍ଧ ଏକାଥରକେ ଅଧିକ ଖାଦ୍ୟ ଖାଉଥିଲେ ଯାହାଦ୍ୱାରା ତାଙ୍କ ଓଜନ ମଧ୍ୟ ଧିରେ ଧିରେ ବଢିଲା । ଯେଉଁ ପର୍ଯ୍ୟନ୍ତ ପେଟ ପୁରାପୁରି ଫୁଲ୍ ହେଉନଥିଲା ସେ ପର୍ଯ୍ୟନ୍ତ ସେ ଖାଇବା ବନ୍ଦ କରୁନଥିଲେ । କିନ୍ତୁ ଏମବିବିଏସ୍ ପଢିବା ସମୟରେ ଅଚାନକ ତାଙ୍କ ଦେହ ବହୁତ ଖରାପ ହୋଇଗଲା । ଚିକିତ୍ସା ସମୟରେ ଡାକ୍ତର କହିଲେ ଏଭଳି ହେଲେ ଆଗାମୀ ୫ ବର୍ଷ ଭିତରେ କୌଣସି ଗମ୍ଭୀର ରୋଗର ସମସ୍ୟାରେ ସେ ପଡ଼ିପାରନ୍ତି ଏବଂ ଏଥିରେ ଜୀବନ ଚାଲିଯିବାର ସମ୍ଭାବନା ମଧ୍ୟ ରହିଛି । ବାସ୍ ଏହି ସମୟ ହିଁ ଅନିରୁଦ୍ଧଙ୍କ ପାଇଁ ଟର୍ଣ୍ଣିଂ ପଏଣ୍ଟ୍ ଥିଲା । ଯେତେବେଳେ ସେ ମନ ଏବଂ ମସ୍ତିଷ୍କରୁ ଓଜନ କମାଇବାର ସିଦ୍ଧାନ୍ତ ନେଲେ । ଏହାପରେ ସେ ଏକ ଫିଟନେସ୍ କମ୍ୟୁନିଟି ସହ ଜଡିତ ହେଲେ । ଏଥିରେ ଅନିରୁଦ୍ଧଙ୍କ ଟ୍ରେନର୍ ଯେତେବେଳେ ପ୍ରଥମଥର ପାଇଁ ତାଙ୍କ ଓଜନ ମାପିଲେ ଏହା ୧୯୪.୫ କିଲୋ ଦେଖାଇଲା । ଏହାପରେ ଡ଼ାଇଟ୍ ଏବଂ ବ୍ୟାୟାମ ଜରିଆରେ ୨ ବର୍ଷ ଭିତରେ ୧୧୦ କିଲୋ ଓଜନ କମାଇବାରେ ସଫଳ ହେଲେ ଅନିରୁଦ୍ଧ । ତେବେ ଏହା ଭିତରେ ତାଙ୍କ ଚର୍ମ ମଧ୍ୟ ଓହଳିଯାଇଥିଲା ଯାହାକୁ ସର୍ଜରି ମାଧ୍ୟମରେ ତାଙ୍କୁ ବାହାର କରିବାକୁ ପଡ଼ିଲା ।


ଡାକ୍ତର ଅନିରୁଦ୍ଧ ଦିପକ କୁହନ୍ତି ସେ କେବେ ଡ଼ାଇଟିଙ୍ଗ୍ କରିନାହାନ୍ତି ବରଂ କ୍ୱାଣ୍ଟିଫାଇଡ଼୍ ନ୍ୟୁଟ୍ରିସନ୍ ଖାଇ ଓଜନ କମାଇଛନ୍ତି । କ୍ୱାଣ୍ଟିଫାଇଡ଼୍ ନ୍ୟୁଟ୍ରିସନ୍ ରେ ଆପଣଙ୍କୁ ଖାଦ୍ୟର ମାତ୍ରା ଦେଖି ଖାଇବାକୁ ପଡ଼ିଥାଏ । ଖାଦ୍ୟର କ୍ୟାଲୋରୀ ଏବଂ ମାତ୍ରାକୁ ମଧ୍ୟ ଧ୍ୟାନ ଦେବାକୁ ପଡ଼ିଥାଏ । ଏହାପରେ ପ୍ରୋଟିନ୍ , ଫ୍ୟାଟ୍ , କାର୍ବ ଆଦିର ମାତ୍ରା ମଧ୍ୟ ଦେଖାଯାଏ । ସେ ୨୦୦୦ କ୍ୟାଲୋରୀ ଖାଉଥିବାବେଳେ ଧିରେ ଧିରେ ବ୍ୟାୟାମର ବିଭିନ୍ନ ପ୍ରକ୍ରିୟା ଉପରେ ମଧ୍ୟ ଧ୍ୟାନ ଦେଉଥିଲେ । ସକାଳ ଜଳଖିଆରେ ଉପମା , ରୁଟି , ସୋୟା ବଡ଼ି , ସାଲାଡ଼ କିମ୍ବା ଚୁଡ଼ା ସନ୍ତୁଳା ଭଳି ଖାଦ୍ୟ ଖାଉଥିବା ବେଳେ ସ୍ନାକ୍ସରେ ଫଳ କିମ୍ବା ବାଦାମ ଖାଉଥିଲେ । ଦ୍ୱିପ୍ରହର ଭୋଜନରେ ଭାତ କିମ୍ବା ରୁଟି ସହ ଡାଲି , ଚଣା , ରାଜମା , ଦହି , ପରିବା ତରକାରୀ ଭଳି ଖାଦ୍ୟ ଖାଉଥିଲେ । ରାତ୍ରି ଖାଇବାରେ ଭାତ-ରୁଟି ସହ ପନିର୍ ଅଥବା ଅନ୍ୟ ପରିବା ତରକାରୀ ସେ ଖାଉଥିଲେ । ସମୟ ଅନୁସାରେ ତାଙ୍କ ଡାଏଟରେ ମଧ୍ୟ ପରିବର୍ତ୍ତନ ହେଲା ।