ହଟିଲା ଲାଲବାହିନୀର ଜୁଲମ୍, ଫୁଟିଲା ନିରୀହ ଆଦିବାସୀଙ୍କ ମୁହଁରେ ହସ । ଲାଲକରିଡରରେ ବସିଲା ସାପ୍ତାହିକ ହାଟ, ଲୋକଙ୍କ ମନରେ ସଂଚାର ହେଲା ପରିବର୍ତ୍ତନର ନୂଆ ଆଶା

466

କନକ ବ୍ୟୁରୋ: ଲାଲଗଡରେ ସାପ୍ତାହିକ ହାଟ । ପୋଲିସ ଫିଟାଇଛି ବାଟ । ଦିନେ ଯେଉଁଠି ନକ୍ସଲଙ୍କ ଆଡ୍ଡାସ୍ଥଳୀ ଥିଲା ସେହି ସ୍ଥାନରେ ଆଜି ଆରମ୍ଭ ହୋଇଛି ସାପ୍ତାହିକ ହାଟ । ପୂର୍ବରୁ ମୁଣ୍ଡ ଗଡୁଥିଲା । ହାଟକୁ ଆସିଲେ ନକ୍ସଲ ଇନଫର୍ମର ସନ୍ଦେହରେ ଲୋକଙ୍କୁ ଅକଥନୀୟ ଅତ୍ୟାଚାର କରୁଥିଲେ । ଏମିତିକି ଜୀବନରୁ ମଧ୍ୟ ମାରି ଦେଉଥିଲେ ନକ୍ସଲ । କିନ୍ତୁ ସମୟର ପରିବର୍ତ୍ତନରେ ଏବେ ମାଓବାଦୀଙ୍କ ଭୟ ମନରୁ ଦୂର ହୋଇପାରିଛି । ସୁରକ୍ଷା ବାହିନୀ ଓ ପୋଲିସ ପ୍ରଶାସନର ସହଯୋଗ ପରେ ସୁରକ୍ଷିତ ମଣୁଛନ୍ତି ଲାଲଗଡର ନିରୀହ ଆଦିବାସୀ । ନିର୍ଭୟରେ ଜୀବନ ବିତାଉଛନ୍ତି । ହାତ ପାହାନ୍ତାରେ ସାପ୍ତାହିକ ହାଟ ପାଇ ଲାଲ ହିଂସା ର ପରିବର୍ତ୍ତନ ହୋଇଥିବା ଆଶା ଦେଖିଛନ୍ତି ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଦୁର୍ଗମ କର୍ତ୍ତନପାଲି ଗାଁର ନିରୀହ ଆଦିବାସୀ ।

ଜୁଲୁମ ହଟିଛି । ସୁରକ୍ଷିତ ଆଶା ଫିଟିଛି । ଲାଲଗଡର ନିରୀହ ଆଦିବାସୀଙ୍କ ମନରୁ ନକ୍ସଲ ଭୟ ଦୂର ହୋଇଛି । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଦୁର୍ଗମ କର୍ତ୍ତନପାଲି ଗାଁରେ ଲାଲ ହିଂସାକୁ ଏଡାଇ ସାପ୍ତାହିକ ହାଟ ବସାଇଛି ପୋଲିସ ପ୍ରଶାସନ । ଲୋକଙ୍କ ନିକଟତର ହେବାର ପ୍ରୟାସ କରିଛି ସୁରକ୍ଷା ବାହିନୀ ଦଳ । ପୂର୍ବରୁ ଲାଲ ଆତଙ୍କରେ ରାଜୁତି ଚାଲିଥିବା କର୍ତ୍ତନପାଲିରେ ହାଟ ବସାଇବା ପରେ ଲୋକଙ୍କ ମନରେ ପରିବର୍ତ୍ତନର ନୂଆ ଆଶା ସଂଚାର ହୋଇଛି । ହାତ ପାହାନ୍ତାରେ ହାଟକୁ ଦେଖି ଲୋକଙ୍କ ମଧ୍ୟରେ ଉତ୍ସାହ ବଢିଛି ।  ଲାଲଗଡର କର୍ତ୍ତନପାଲି । ଦିନେ ଯେଉଁ କଥା କଥା କେ ମୁଣ୍ଡ ଗଡୁଥିଲା । ସେହିପରି ଅଂଚଳରେ ସୁରକ୍ଷା ବାହିନୀ କ୍ୟାମ୍ପ ଓ ପୋଲିସର ସହଯୋଗରେ ସାପ୍ତାହିକ ହାଟ ହେବା ପରେ ମାଓବାଦୀଙ୍କ ଅଧିନରେ ରହୁଥିବା ନିରୀହ ପରାଧିନ ଆଦିବାସୀ ଆଜି ସ୍ୱାଧିନର ମୁକ୍ତ ଆଶା ପାଇଛନ୍ତି ।

କର୍ତ୍ତନପାଲି ହାଟକୁ ଚିତ୍ରକୋଣ୍ଡା ଏସଡିପିଓ ସୁନାରାମ ହେମ୍ବ୍ରମ ଉଦଘାଟନ କରିବା ପ୍ରଥମ ଦିନରେ ଦୂର ଦୂରାନ୍ତର ବ୍ୟବସାୟୀଙ୍କ ଭିଡ ଜମି ଥିଲା । ନିଜର ପସରା ମେଲାଇ ଭେଳି କି ଭେଳି ସାମଗ୍ରୀ ଆଣି ଲାଲଗଡ ର ହାଟରେ ବିକ୍ରି କରିଥିଲେ । ପନିପରିବା ଠାରୁ ଆରମ୍ଭ କରି ସମସ୍ତ ଜିନିଷ ହାଟରେ ଦେଖିବାକୁ ମିଳିଥିଲା । ତେବେ ଏହି ହାଟ ହେବା ଦ୍ୱାରା ୩୦ ଦୁର୍ଗମ ଗାଁ ର ଲୋକଙ୍କ ସମେତ ବୈପାରିଗୁଡା ପଂଚାୟତ ଅଧିନ ତେନ୍ତୁଳିଗୁମ୍ମା ପଂଚାୟତର ଲୋକେ ମଧ୍ୟ ଉପକୃତ ହେବେ । ହାଟରେ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ପହଁତରା ଦେବେ ବିଏସଏଫ୍ ଯବାନ ।

ଆଦିବାସୀ ଗାଁରେ ସମ୍ପର୍କର ସଂଜମ କରିବାରେ ସାପ୍ତାହିକ ହାଟର ସ୍ୱତନ୍ତ୍ରତା ରହିଛି । ତେବେ ପୂର୍ବରୁ ମାଓବାଦୀମାନେ ହାଟକୁ ଗଲେ ଇନଫର୍ମର ସନ୍ଦେହ କରୁଥିଲେ । ହାଟରୁ ଗାଁ କୁ ଫେରିବା ପରେ ନିସ୍ତୁକ ପିଟୁଥିଲେ ନକ୍ସଲ ଏବଂ ଆନେକଙ୍କୁ ଏହି କାରଣରୁ ହତ୍ୟା ମଧ୍ୟ କରିଥିବା ନଜର ରହିଛି । ତେବେ ନକ୍ସଲଙ୍କ ଭୟ ଲୋକଙ୍କ ମନରୁ ସମ୍ପୂର୍ଣ୍ଣ ପୋଛିଦେବା ସହ ସରକାରଙ୍କ ଉନ୍ନୟନ ପହଂଚାଇ ଯବାନ ଏବଂ ପୋଲିସ ପ୍ରଶାସନ ନିକଟତର ହେବାର ପ୍ରୟାସ କରିଛି । ଆତଙ୍କ ଧିରେ ଧିରେ ହଟିଛି । ଲୋକେ ମଧ୍ୟ ପୋଲିସ ସହଯୋଗ କରିବାକୁ ଆଗେଇ ଆସୁଛନ୍ତି ବୋଲି କହିଛନ୍ତି ଚିତ୍ରକୋଣ୍ଡା ଏସଡିପିଓ ।