ଛତିଶଗଡ ସୀମାନ୍ତବର୍ତ୍ତୀ ୧୦ଟି ଜିଲ୍ଲାରେ ଆଜିଠୁ ୨ ଦିନିଆ ସଟଡାଉନ୍ । ସହରାଞ୍ଚଳରେ ଦୋକାନ ବଜାର ବନ୍ଦ, ପଇଁତରା ମାରୁଛି ପୁଲିସ ।

ଅମାନିଆଙ୍କ ଠାରୁ ଆଦାୟ କରାଯାଉଛି ଫାଇନ୍

99

କନକ ବ୍ୟୁରୋ: ସାରା ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏପରି ସ୍ଥିତିରେ ଛତିଶଗଡ ସୀମାନ୍ତବର୍ତ୍ତୀ ୧୦ଟି ଜିଲ୍ଲାରେ ସପ୍ତାହର ଶେଷ ଦୁଇ ଦିନ ସଟଡାଉନ୍ ପାଳନ କରାଯାଉଛି । ଆଜି କଳାହାଣ୍ଡି ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍ ପାଳନ ହେଉଛି । ଯେଉଁଥିରେ ଧର୍ମଗଡ ସହରର ଦୋକାନ ବଜାର ବନ୍ଦ ରହିଛି । ପୁଲିସ ସାରା ସହରରେ ପଇଁତରା ମାରି ଅମାନିଆଙ୍କ ଉପରେ ନଜର ରଖିଛି । ଖାଲି ସେତିକି ନୁହେଁ, କରୋନା କଟକଣାକୁ କଡାକଡି ଭାବେ ପାଳନ କରିବା ପାଇଁ ସଚେତନ କରାଯାଉଛି ।

ଅନ୍ୟପଟେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା କଟକଣାକୁ ପାଳନ କରାଯାଉଛି । ମାଲକାନଗିରି ପୌରପରିଷଦ, ବାଲିମେଳା ଏନଏସି ସହ କାଲିମେଳା ବ୍ଲକ ସଦର ମହକୁମାକୁ ୨ ଦିନ ସଟଡ଼ାଉନ ଘୋଷଣା କରିଛନ୍ତି । ଶନି ଓ ରବିବାର ଦୁଇ ଦିନ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ କରିବାକୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । କାଲିମେଳାରେ ମାସ୍କ ଚେକିଂକୁ କଡ଼ାକଡ଼ି କରାଯାଇଛି । ବ୍ଲକର ଆନ୍ଧ୍ର ଓ ଛତିଶଗଡ଼ ସୀମାନ୍ତରେ ଅବସ୍ଥିତ ମୋଟୁ ନିକଟରେ ପୁଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜୋରଦାର ଯାଂଚ କରାଯାଇଛି । ଆସନ୍ତା ୧୯ ତାରିଖ ଠାରୁ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ହାଇଦ୍ରାବାଦକୁ ଯାଉଥିବା ସମସ୍ତ ଘରୋଇ ବସ ଚଳାଚଳକୁ ମଧ୍ୟ ବାତିଲ କରାଯାଇଛି ।

ସେପଟେ ଛତିଶଗଡ ଯୋଗୁଁ ଓଡିଶାରେ କରୋନା ସଂକ୍ରମଣ ବଢୁଥିବାରୁ ଛତିଶଗଡ ସୀମାନ୍ତବର୍ତ୍ତୀ ଜିଲ୍ଲାର ସହରାଂଚଳରେ ଆଜିଠାରୁ ସପ୍ତାହାନ୍ତ ସଟଡାଉନ ପାଳନ କରାଯାଉଛି । ସୁନ୍ଦରଗଡ, ସମ୍ବଲପୁର, ବରଗଡ, ଝାରୁସୁଗୁଡା, ବଲାଙ୍ଗୀର, କଳାହାଣ୍ଡି, ନୂଆପଡା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ପ୍ରତ୍ୟେକ ଶନିବାର ଓ ରବିବାର ସଟଡାଉନ ରହିବ । ଆଉ ଏସବୁ ଜିଲ୍ଲା ମଧ୍ୟରେ ଚିନ୍ତା ବଢାଉଛି ସୁନ୍ଦରଗଡ । ଛତିଶଗଡ ସୀମାକୁ ଲାଗି ରହିଥିବା ଏହି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ତେଣୁ ସୁନ୍ଦରଗଡ ଜିଲ୍ଲାରେ ସଟଡାଉନ ମଧ୍ୟ ଲାଗୁ ହୋଇଛି ।