ଦେଶରେ ଉତ୍କଟ ହେଉଛି କରୋନା ସମସ୍ୟା : ନାଗପୁରରେ ୭ ଦିନିଆ ଲକଡାଉନ ପରେ ଅହମ୍ମଦାବାଦରେ ନାଇଟକର୍ଫ୍ୟୁ ଲାଗୁ

 ରାୟପୁରରେ ତିନୋଟି ଫୁଡକୋର୍ଟ ବନ୍ଦ; ମହାରାଷ୍ଟ୍ରରେ କ୍ରମାଗତ ୪ ଦିନ ହେଲା ୧୫ ହଜାରରୁ ଅଧିକ ନୂଆ ସଂକ୍ରମଣ ସଂଖ୍ୟା

135

କନକ ବ୍ୟୁରୋ : ଦେଶରେ ଉତ୍କଟ ହେଉଛି କରୋନା ସମସ୍ୟା । ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ପୁଣି ଥରେ ଲୋକଙ୍କୁ ତାଲାବନ୍ଦ ଭିତରକୁ ଠେଲି ଦେଇଛି । ମହରାଷ୍ଟ୍ରର ନାଗପୁରରେ ପୁଣି ଥରେ ତାଲାବନ୍ଦ ଲାଗୁ ହୋଇଛି । ଜରୁରୀକାଳିନ ସେବାକୁ ଛାଡ଼ି ଦେଲେ ଗୋଟିଏ ସପ୍ତାହ ଧରି ଲକଡାଉନ ରହିବ । ଗୁଜୁରାଟର ଅହମ୍ମଦାବାଦରେ ରାତି ୧୦ଟା ପରେ ରେଷ୍ଟୁରାଣ୍ଟ, ମଲ୍, ସୋ-ରୁମ୍, ପାନ-ଦୋକାନ, ଚା-ଦୋକାନ, ସେଲୁନ୍ ଏବଂ କ୍ଲବ୍ ଆଦି ବନ୍ଦ ରହିବ ।

ଛତିଶଗଡ଼ର ରାୟପୁରର ୩ଟି ଫୁଡ୍ ମାର୍କେଟକୁ ବନ୍ଦ କରାଯାଇଛି । ଏହି ସବୁ ପଦକ୍ଷେପ ଏଥିପାଇଁ ଜରୁରୀ ହୋଇ ପଡ଼ିଛି କାରଣ, ଗତ ୨୪ ଘଂଟାରେ ଆଶ୍ଚର୍ଯ୍ୟଜନକ ଭାବରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଚତୁର୍ଥ ଦିନ ପାଇଁ ପୁଣି ଥରେ ୧୫ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି । ଏପରିକି ଦିନକରେ ମହାରାଷ୍ଟ୍ରରେ ୧୬ ହଜାର ୬୨୦ ନୂଆ ମାମଲା ସାମ୍ନାକୁ ଆସିଛି ।

ସେହିପରି ଗୁଜୁରାଟ, କେରଳ, ତାମିଲନାଡୁ, ମଧ୍ୟପ୍ରଦେଶ ଓ ଛତିଗଡରେ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହି ସବୁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଦ୍ୱିତୀୟ ଲହର ଆସିବାର ଭୟ ବଢ଼ୁଛି । ଏତିକି ବେଳେ ପ୍ରଶ୍ନ ଉଠୁଛି ପୁଣି ଥରେ ସଟଡାଉନ୍ ହେବ କି ? ଆମ ପାଖରେ ଆଉ କ’ଣ ବିକଳ୍ପ ଅଛି କି ?