ବୁଧବାର ଚେନ୍ନାଇରେ ଭାରତ-ଅଷ୍ଟ୍ରେଲିଆ ଶେଷ ଦିନିକିଆ। ସିରିଜ ଜିତିବା ପାଇଁ ଲଢିବେ ଦୁଇ ଦଳ। 

213

କନକ ବ୍ୟୁରୋ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍ ବୁଧବାର ଚେନ୍ନାଇରେ ଖେଳାଯିବ । ପ୍ରଥମ ମ୍ୟାଚ୍ ଭାରତ ଓ ଅଷ୍ଟ୍ରେଲିଆ ଦ୍ୱିତୀୟ ମ୍ୟାଚରେ ବିଜୟ ହାସଲ କରିବା ପରେ ସିରିଜ୍ ଏବେ ୧-୧ରେ ବରାବର ରହିଛି । ତେଣୁ ଶେଷ ମ୍ୟାଚ୍ ଉଭୟ ଦଳ ପାଇଁ ‘କର ବା ମର’ ସ୍ଥିତି ସୃଷ୍ଟି କରିଛି । ଅର୍ଥାତ୍ ଯେଉଁ ଦଳ ମ୍ୟାଚ୍ ଜିତିବ, ସେହି ଦଳ ସିରିଜ୍ ହାତେଇବ । ଭାରତ ପ୍ରଥମ ମ୍ୟାଚକୁ ୫ ୱିକେଟରେ ଜିତି ନେଇଥିଲା । କିନ୍ତୁ ଦ୍ୱିତୀୟ ମ୍ୟାଚରେ ୧୦ ୱିକେଟରେ ଲଜ୍ଜାଜନକ ଭାବେ ହାରିଥିଲା ।

ତୃତୀୟ ମ୍ୟାଚରେ ଟିମ୍ କମ୍ବିନେସନ୍ କ’ଣ ହେବ, ତା’ ଉପରେ ସମସ୍ତଙ୍କ ନଜର ରହିଛି । ପ୍ରଥମ ଦୁଇଟି ମ୍ୟାଚରେ ମିଚେଲ୍ ଷ୍ଟାର୍କଙ୍କ ଘାତକ ବୋଲିଂ ଆଗରେ ଆତ୍ମସମର୍ପଣ କରିଥିଲେ ଟିମ ଇଣ୍ଡିଆର ଟପ୍ ଅର୍ଡର ବ୍ୟାଟର । ସୂର୍ଯ୍ୟକୁମାର ଯାଦବ ଉଭୟ ମ୍ୟାଚରେ ପ୍ରଥମ ବଲରେ ହିଁ ଷ୍ଟାର୍କଙ୍କ ଦ୍ୱାରା ଏଲବିଡବ୍ଲ୍ୟୁ ହୋଇଥିଲେ । ଖରାପ ପ୍ରଦର୍ଶନ ସତ୍ୱେ ଅଧିନାୟକ ରୋହିତଙ୍କ ଭରସା ସୂର୍ଯ୍ୟକୁମାରଙ୍କ ଉପରେ କାଏମ ରହିଛି । ଅଷ୍ଟ୍ରେଲିଆକୁ ହରାଇବାକୁ ହେଲେ ଭାରତକୁ ଆକ୍ରମଣାତ୍ମକ ରଣନୀତି ଆପଣାଇବାକୁ ପଡ଼ିବ । ତୃତୀୟ ମୁକାବିଲାରେ ଭାରତ ତିନିଜଣ ସ୍ପେଶାଲିଷ୍ଟ ପେସରଙ୍କ ସହ ମଇଦାନକୁ ଓହ୍ଲାଇପାରେ । କାରଣ ଚେନ୍ନାଇର ପିଚ୍ ପେସର ସୁହାଇବ ବୋଲି ଜଣାପଡ଼ିଛି । ଅନ୍ୟପଟେ ଇନଫର୍ମ କଙ୍ଗାରୁ ଟିମ୍ ଆଉଏକ ସହଜ ବିଜୟ ସହ ସିରିଜ୍ ହାତେଇବାକୁ ଲକ୍ଷ୍ୟ ରଖିଛି ।