ରାଜ୍ୟ ପାଇଁ ଆଶ୍ୱସ୍ତି ଆଣିଲା ବୁଧବାର । ଗୋଟିଏ ଦିନରେ ହେଲା ରେକର୍ଡ ୧୧ଶହ ୯୭ ଟି ଟେଷ୍ଟ : ସବୁ ରିପୋର୍ଟ ନେଗେଟିଭ୍, ୬୦ରେ ସୀମିତ ସଂକ୍ରମିତଙ୍କ ସଂଖ୍ୟା

1,182

କନକ ବ୍ୟୁରୋ : ରାଜ୍ୟ ପାଇଁ ବଡ ଧରଣର ଆଶ୍ୱସ୍ତି । ଗତକାଲି ସାରା ରାଜ୍ୟରେ ୧୧ଶହ ୯୭ଟି ନମୁନା ପରୀକ୍ଷା ହୋଇଥିଲା । ଆଉ ଆଶ୍ୱସ୍ତିର ଖବର ହେଉଛି ଯେ, ସବୁତକ ନମୁନାର ରିପୋର୍ଟ ନେଗେଟିଭ୍ ଆସିଛି । ଗତକାଲି ସାରା ରାଜ୍ୟରୁ ଗୋଟିଏ ବି ନୂଆ ଆକ୍ରାନ୍ତ ଖବର ସାମ୍ନାକୁ ଆସିନାହିଁ । ସେପଟେ ଆଉ ଏକ ଆଶ୍ୱସ୍ତିର ଖବର ହେଉଛି ଯେ, ପୁଣି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡର ଏହି ସଂକ୍ରମିତ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଏବଂ ଖୁବଶୀଘ୍ର ତାଙ୍କୁ ହସପିଟାଲରୁ ଡିସଚାର୍ଜ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଁଚିଛି ।

ତେବେ ସୁନ୍ଦରଗଡ ବିଶ୍ରା ଅଂଚଳର ଅନ୍ୟ ଜଣେ ଆକ୍ରାନ୍ତ ଏବେ ମଧ୍ୟ ଚିକିତ୍ସିତ ଅଛନ୍ତି । ସେପଟେ ପ୍ରଥମଥର ପାଇଁ ରାଜ୍ୟରେ ହଜାରେରୁ ଅଧିକ ନମୁନା ପରୀକ୍ଷା କରାଯାଇଛି । କରୋନା ପରୀକ୍ଷା କେନ୍ଦ୍ର ସଂଖ୍ୟାରେ ବୃଦ୍ଧି ହୋଇଥିବା ବେଳେ ପରୀକ୍ଷା ସଂଖ୍ୟା ବି ପ୍ରଥମଥର ପାଇଁ ହଜାରେ ଟପିଛି । ରାଜ୍ୟରେ ଏଯାଏ ୬ ହଜାର ୭୩୪ ଟି ନମୁନା ପରୀକ୍ଷା ହୋଇଛି । ଏଥିରୁ ୬ ହଜାର ୬୭୪ ଟି ନମୁନା ନେଗେଟିଭ୍ ଆସିଛି । ୬୦ଟି ପଜିିଟିଭ ଚିହ୍ନଟ ହୋଇଥିବା ବେଳେ ୧୯ ଜଣ ସୁସ୍ଥ ହୋଇସାରିଲେଣି । କରୋନାରେ ଏଯାଏ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ତେବେ ୪୦ ଜଣଙ୍କର ଏବେବି ଚିକିତ୍ସା ଚାଲିଛି ।