ସରିଲା ଦେବଦମ୍ପତିଙ୍କ ବାହାଘର : କଟକଣା ଭିତରେ ସମ୍ବଲପୁରରେ ଚାଲିଛି ଶୀତଳଷଷ୍ଠୀ

108

କନକ ବ୍ୟୁରୋ : କରୋନା କଟକଣା ଭିତରେ ସମ୍ପନ୍ନ ହେଲା ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାର ଶିବ ବିବାହ କାର୍ଯ୍ୟକ୍ରମ । ବ୍ରହ୍ମ ମୂହୁର୍ତରେ ନନ୍ଦପଡ଼ାର ବମ୍ ବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡୁଆପଡ଼ାର ଲୋକନାଥ ବାବା, ମୋଦିପଡାର ଜାଗେଶ୍ୱର ବାବା, ବଡ଼ ବଜାରର ଶୀତଳେଶ୍ୱର ବାବାଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ଶୁଭ ଲଗ୍ନରେ କନ୍ୟାପିତା କନ୍ୟାଦାନ ପରେ ହସ୍ତଗଣ୍ଠି ପଡ଼ିଛି । କରୋନା କଟକଣା ଯୋଗୁଁ ଚଳିତ ବର୍ଷ କେବଳ ବିଧି ରକ୍ଷା ସ୍ୱରୁପ ବାହାଘର ଆୟୋଜନ ହୋଇଛି ।

କୌଣସି ବିଶେଷ ଆୟୋଜନ ନହୋଇ ସୀମିତ ସଂଖ୍ୟକ ସଦସ୍ୟରେ ମନ୍ଦିରରେ ବାହାଘର ଅନୁଷ୍ଠିତ ହେବା ସହ ସରକାରୀ ଗାଇଡଲାଇନମାନି ଯାତ୍ରା କେବଳ ବିଧି ରକ୍ଷା କରିଛନ୍ତି । ତେବେ ବାହାଘର ପରେ ଦେବ ଦମ୍ପତିଙ୍କ ବିବାହ ମଣ୍ଡପରେ ଯୁଗଳମୂର୍ତୀ ଦର୍ଶନ ଦେଉଥିବା ବେଳେ ସନ୍ଧ୍ୟାରେ କନ୍ୟା ପିତା ମାତା ଝିଅକୁ ବିଦାୟ ଦେବେ । ଅନ୍ୟ ବର୍ଷ ରାତିରୁ ଶୋଭାଯାତ୍ରା ବାହାରୁ ଥିବା ବେଳେ କରୋନା କଟକଣା ଯୋଗୁଁ ଏବର୍ଷ ଶୋଭାଯାତ୍ରା ବନ୍ଦ ରହିଛି । କେବଳ ବିଧିରକ୍ଷା ପାଇଁ ବିବାହ ମଣ୍ଡପରୁ ଅନ୍ୟ ଏକ ମଣ୍ଡପକୁ ଯାଇ ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଯୁଗଳମୂର୍ତୀ ଦର୍ଶନ ଦେବା ସହ ସନ୍ଧ୍ୟା ସମୟରେ ମନ୍ଦିରକୁ ପ୍ରବେଶ କରିବେ ।