ସାନିଟାଇଜର ବୋତଲରେ ଛପାହେଲା ନିମନ୍ତ୍ରଣ ପତ୍ର । ମିଠା ବଦଳରେ ଅତିଥିଙ୍କୁ ଦିଆଗଲା ମାସ୍କ, କରୋନା ବେଳେ ଏମିତି ଦିଆହେଲା ସଚେତନତା ବାର୍ତ୍ତା ।

193

କନକ ବ୍ୟୁରୋ : ସାନିଟାଇଜର ବୋତଲରେ ନିମନ୍ତ୍ରଣ ପତ୍ର । ବାହାଘରର ନିଆରା କାର୍ଡକୁ ନେଇ ଚର୍ଚ୍ଚା । ଆପଣ ବାହାଘରର ବିଭିନ୍ନ ପ୍ରକାର କାର୍ଡ ଦେଖିଥିବେ । ବିବାହ ସମାରୋହରେ ଯୋଗ ଦେବା ପାଇଁ ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇଥାଏ । ଏପରିକି ଆଖି ଝଲସିଯାଉଥିବା ଭଳି ଦାମୀ କାର୍ଡ ମଧ୍ୟ ଆପଣ ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ବାହାଘର କାର୍ଡ ଦେଖାଇବୁ, ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏମିତି ନିମନ୍ତ୍ରଣ ପତ୍ର ଆପଣ ଆଗରୁ କେବେ ଦେଖିନଥିବେ ।

ଫରିଦାବାଦ ବଲ୍ଲଭଗଡ ନିବାସୀ ପବନ ବର୍ମା । ଆସନ୍ତା ଜୁଲାଇ ମାସରେ ସେ ତାଙ୍କର ଝିଅ ପ୍ରିୟଙ୍କା ବର୍ମାଙ୍କର ବାହାଘର ଦିଲ୍ଲୀର ସଞ୍ଜୀବ କୁମାରଙ୍କ ସହ କରିବାକୁ ଯାଉଛନ୍ତି । କିନ୍ତୁ ଏହି ବାହାଘରକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ଆଉ ଚର୍ଚ୍ଚାର କାରଣ ହେଉଛି ଏହି ବାହାଘରର ନିମନ୍ତ୍ରଣ ପତ୍ର ।

ଏହି ବାହାଘର କାର୍ଡଟି ସାଧାରଣ ନିମନ୍ତ୍ରଣ ପତ୍ର ଠାରୁ ଢେର୍ ଭିନ୍ନ । ବାହାଘର ପତ୍ରରେ ଯେମିତି ଲେଖାହୋଇଥାଏ, ଏଥିରେ ମଧ୍ୟ ସେମିତି ଲେଖାହୋଇଛି । କିନ୍ତୁ ଏହା ଭିନ୍ନ ଏଥିପାଇଁ. କାରଣ ଏକ ସାନିଟାଇଜର ବୋତଲ ଉପରେ ଏହି ନିମନ୍ତ୍ରଣ ପତ୍ର ପ୍ରସ୍ତୁତ ହୋଇଛି । ବୋତଲର ପ୍ୟାକିଂରେ ବାହାଘରରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି । ଆଉ ସବୁଠୁ ରୋଚକ କଥା ହେଉଛି, ନିମନ୍ତ୍ରଣ ସହ ମିଠା ବଦଳରେ ମାସ୍କ ପ୍ରଦାନ କରାଯାଇଛି ।

କରୋନା ସଂକ୍ରମଣ ସାରା ଦେଶକୁ କଲବଲ କରୁଥିବା ବେଳେ, ମାସ୍କ ପିନ୍ଧିବା ଏବଂ ସାନିଟାଇଜର ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଆଉ ମହାମାରୀ ବେଳେ ଏମିତି ନିମନ୍ତ୍ରଣ ପତ୍ର ସମସ୍ତଙ୍କ ମନକୁ ଛୁଇଁଛି । ବାହାଘର ପାଇଁ ନିମନ୍ତ୍ରଣ ପତ୍ର ଦେବା ସହ ସଚେତନତାର ବାର୍ତା ମଧ୍ୟ ଦିଆଯାଇଛି । ଆଉ ପବନ ବର୍ମାଙ୍କ ଏଭଳି ପଦକ୍ଷେପକୁ ସମସ୍ତେ ଭୂରି ଭୂରି ପ୍ରଂଶସା କରୁଛନ୍ତି ।