ବରପକ୍ଷ ଦାବି କଲେ ଗୋମାଂସ, ଦାବି ପୂରଣ ନହେବାରୁ ଭାଙ୍ଗିଲା ବାହାଘର

181

ଗୋମାଂସ ଭକ୍ଷଣ, ଚାଲାଣ ନେଇ ସମଗ୍ର ଉତ୍ତରପ୍ରଦେଶରେ ବାତାବରଣ ଏକପ୍ରକାର ଅଶାନ୍ତ ଥିବା ବେଳେ ଉତ୍ତରପ୍ରଦେଶର ମୋରାଦାବାଦ ସହରରେ ଘଟିଛି ଗୋମାଂସକୁ ନେଇ ଏକ ଅଭାବନୀୟ ଘଟଣା। ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ବରଯାତ୍ରୀ ଓ ବରଘରର ଲୋକଙ୍କ ପାଇଁ ଗୋମାଂସ ବ୍ୟଞ୍ଜନ ପ୍ରସ୍ତୁତ କରିବାକୁ ବରଘର ପକ୍ଷରୁ ଦାବି ହେବା ପରେ ଏହି ବାହାଘରକୁ ଭାଙ୍ଗି ଦେଇଛନ୍ତି। ଏ ନେଇ କନ୍ୟାଘର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମୋରାଦାବାଦ ଏସଏସପି ଜେ ରବୀନ୍ଦ୍ର ଗୌର କହିଛନ୍ତି ଯେ ସମ୍ଭଲ ଜିଲ୍ଲାର ସିସାଉତ ଗ୍ରାମର କନ୍ୟାପିତା ଅସଗର ଅଲ୍ଲୀ ଅଭିଯୋଗ କରିଛନ୍ତି ଯେ ଗତ ଜୁନ୍ ମାସରେ ଭଦ୍ରଲୋକଙ୍କ ଉପସ୍ଥିତିରେ ତାଙ୍କ ଝିଅଙ୍କ ବିଭାଘର ମୋରାଦାବାଦର ନୱାବଭାଲି ମିଲାକ ଗ୍ରାମର ନସୀମ ଅଲ୍ଲୀଙ୍କ ପୁଅ ନଜୀମ ଅଲ୍ଲୀଙ୍କ ସହିତ ସ୍ଥିର ହୋଇଥିଲା। ସେତେବେଳେ ଏକ ସୁନା ଚେନ, ମୂଦି ଓ ନଗଦ ୫୧,୭୮୬ ଟଙ୍କା ମଧ୍ୟ ଦିଆଯାଇଥିଲା। ଚଳିତମାସ ୨୮ତାରିଖରେ ଏହି ବାହାଘର ହୋଇଥାନ୍ତା। ତେବେ ନିକଟରେ ବରପକ୍ଷରୁ କନ୍ୟାପିତା ଅସଗର ଅଲ୍ଲୀଙ୍କୁ ଡକାଇ ବରଘର ଲୋକଙ୍କ ଭୋଜିରେ ଗୋମାଂସ ବ୍ୟଞ୍ଜନ ପ୍ରସ୍ତୁତ କରିବା ସହିତ ଅଧିକ ଯୌତୁକ ଦେବାକୁ ଦାବି କରିଥିଲେ। ତେବେ ଗୋମାଂସ ବ୍ୟଞ୍ଜନ ପ୍ରସ୍ତୁତି ସମ୍ଭବ ନୁହେଁ ବୋଲି କହିବାରୁ ବିବାହ ପ୍ରସ୍ତାବକୁ ଭାଙ୍ଗି ଦେଇଛନ୍ତି। ଏ ସମ୍ପର୍କରେ ଏସଏସପି ଶ୍ରୀ ଗୌରଙ୍କ ନିର୍ଦ୍ଦେଶକ୍ରମେ ମୈନାଥର ଥାନା ପୁଲିସ ଘଟଣାର ତଦନ୍ତ କରୁଛି।