ୱେବପୋର୍ଟାଲ ଏଡିଟର ସୁଧାଂଶୁ ରାଉତ : ଆସିଲା ଆଉ ଏକ ନୂଆ ଅଭିଯୋଗ

ବିମୁଦ୍ରାୟନ ବେଳେ ନିଜକୁ ସିବିଆଇ ଅଫିସରର ପରିଚୟ ଦେଇ ମଙ୍ଗଳପୁରର ବୃଦ୍ଧଙ୍କ ଠାରୁ ଲୁଟି ନେଇଥିଲେ ୫୦ହଜାର; ଥାନାରେ ଅଭିଯୋଗ ପରେ ସରପଂଚଙ୍କ ସହାୟତାରେ ଫେରିପାଇଥିଲେ ଟଙ୍କା

433

କନକ ବ୍ୟୁରୋ : ଅଲମ୍ପିଆନ ଦୂତି ଚାନ୍ଦଙ୍କ ବିରୋଧରେ ଆପତିଜନକ ଖବର ପ୍ରକାଶ କରି ଗିରଫ ହୋଇଥିବା ସୁଧାଂଶୁ ରାଉତଙ୍କ ବିରୋଧରେ ଏକ ନୂଆ ଅଭିଯୋଗ ସାମ୍ନାକୁ ଆସିଛି । ଯାଜପୁର ମଙ୍ଗଳପୁର ଅଂଚଳର ଭରତ ଚନ୍ଦ୍ର ମହାଳିକ ଏହି ଅଭିଯୋଗ କରିଛନ୍ତି । ତାଙ୍କ କହିବା ହେଲା ନିଜକୁ ସିବିଆଇ ଅଫିସର ବୋଲି ପରିଚୟ ଦେଇ ୫୦ ହଜାର ଟଙ୍କା ଲୁଟି ନେଇଥିଲେ ସୁଧାଂଶୁ ଓ ଅନ୍ୟ ଦୁଇଜଣ ବ୍ୟକ୍ତି ।

ଏନେଇ ସେ ଥାନାରେ ସୁଧାଂଶୁ ଶେଖର ରାଉତ ସମେତ ଶ୍ରୀକାନ୍ତ ବିଶ୍ୱାଳ ଓ ଆନନ୍ଦ ପ୍ରସାଦ ବିଶ୍ୱାଳ ନାଁରେ ଅଭିଯୋଗ କରିଥିଲେ । ତାଙ୍କ କହିବା ହେଲା, ଦିଲ୍ଲୀରେ ରହୁଥିଲେ ତାଙ୍କ ପୁଅ । ୨୦୧୬ ମସିହାରେ ବିମୁଦ୍ରୀକରଣ ଘୋଷଣା ପରେ ପୁଅଙ୍କ ପାଖରେ କିଛି ଅଚଳ ଟଙ୍କା ରହିଯାଇଥିଲା । ଦିଲ୍ଲୀରେ ଏହାକୁ ବ୍ୟାଙ୍କରେ ବଦଳ କରିବା ସମ୍ଭବ ନହେବାରୁ ସେ ଦିଲ୍ଲୀ ଯାଇ ପ୍ରାୟ ୫୦ ହଜାର ଟଙ୍କା ସାଙ୍ଗରେ ଧରି ଯାଜପୁର ଫେରିଥିଲେ । ହେଲେ ବାଟରେ ସୁଧାଂଶୁଙ୍କ ସହ ଶ୍ରୀକାନ୍ତ ଓ ଆନନ୍ଦ ତାଙ୍କୁ ଅଟକାଇଥିଲେ । ସୁଧାଂଶଙ୍କୁ ସିବିଆଇ ଅଫିସର ବୋଲି ପରିଚୟ ଦେବା ସହ ଚୋରା ଟଙ୍କା ନେଇ ଯାଉଥିବା କହି ଅଟକାଇଥିଲେ । ୭ ଲକ୍ଷ ଟଙ୍କା ନେଇ ଯାଉଥିବା କହିଥିବାବେଳେ ସେ ମାତ୍ର ୫୦ ହଜାର ଅଚଳ ଟଙ୍କା ପୁଅ ପାଖରୁ ନେଇ ଆସିଥିବା ଜଣାଇଥିଲେ ।

ତେବେ ତାଙ୍କଠାରୁ ୨୫ ହଜାର ଟଙ୍କା ନେଇ କାହାକୁ ନଜଣାଇବା ସହ ଥାନାରେ ମାମଲା ନକରିବା ତାଗିଦ କରିଥିଲେ ସୁଧାଂଶୁ ତାଙ୍କ ସହଯୋଗୀ । ହେଲେ ଭରତ ଏନେଇ ମଙ୍ଗଳପୁର ଥାନାରେ ଅଭିଯୋଗ କରିବା ପରେ ସ୍ଥାନୀୟ ସରପଂଚଙ୍କ ସହାୟତାରେ ୨୫ ହଜାର ଟଙ୍କା ଫେରି ପାଇଥିଲେ ବୋଲି କହିଛନ୍ତି । କିନ୍ତୁ ଅଚଳ ଟଙ୍କା ପରିବର୍ତ୍ତେ ନୂଆ ଟଙ୍କା ଫେରସ୍ତ ପାଇଥିଲେ ଭରତ । ଏହି ମାମଲା ଏବେ ବି ଯାଜପୁର ଜିଲ୍ଲା କୋର୍ଟରେ ରହିଥିବା ଜଣାଇଛନ୍ତି ଭରତ ଚନ୍ଦ୍ର ମହାଳିକ ।