ସିବିଆଇ ଅଫିସର ସାଜି ଲୁଟୁଥିଲେ ଟଙ୍କା । ଦୂତୀଙ୍କ ଚରିତ୍ର ସଂହାର କରି ଗିରଫ ହେଲେ ସୁଧାଂଶୁ।

259

କନକ ବ୍ୟୁରୋ: ଅଲିମ୍ପିଆନ୍ ଦୂତୀ ଚାନ୍ଦଙ୍କ ବିରୋଧରେ ଆପତ୍ତିଜନକ ଖବର ପ୍ରସାରଣ ଅଭିଯୋଗରେ ବନ୍ଧା ହୋଇଛନ୍ତି ୱେବପୋର୍ଟାଲ ଏଡିଟର୍ ସୁଧାଂଶୁ ରାଉତ । ଏଥିସହ ସ୍ମୃତି ରଞ୍ଜନ ବେହେରା ନାମକ ଆଉ ଜଣେ ସାମ୍ବାଦିକ ମଧ୍ୟ ଏହି ମାମଲାରେ ଗିରଫ ହୋଇଛନ୍ତି । ପୂର୍ବରୁ ସେ ଏହି ୱେବ୍ ପୋର୍ଟାଲରେ କାମ କରୁଥିବା ବେଳେ ପରେ ସଂସ୍ଥା ଛାଡି ଦେଇଥିବା ପୁଲିସ ସାମ୍ନାରେ ବୟାନ ଦେଇଛନ୍ତି, ଯାହା ଉପରେ ଅଧିକ ଅନୁସନ୍ଧାନ ଚାଲିଛି ବୋଲି କୁହାଯାଇଛି ।

  • ଆଗକୁ ଆସିଲା ପୁରୁଣା ଅଭିଯୋଗ
  • ସିବିଆଇ ଅଫିସର କହି ଠକିଥିଲେ ୫୦ ହଜାର

ବଡ କଥା ହେଉଛି କେବଳ ଏହି ମାମଲା ନୁହେଁ ପୂର୍ବରୁ ଯାଜପୁର ଜିଲ୍ଲାରେ ମଧ୍ୟ ସୁଧାଂଶୁ ରାଉତଙ୍କ ନାଁରେ ଠକେଇ ଆଇପିସିର ଧାରା ୩୯୨ରେ ମାମଲା ରୁଜ୍ଜୁ ହୋଇଥିଲା । ଯାଜପୁର ମଙ୍ଗଳପୁର ଅଞ୍ଚଳର ଭରତ ଚନ୍ଦ୍ର ମହାଳିକଙ୍କ ଅଭିଯୋଗ ଅନୁସାରେ, ନିଜକୁ ସିବିଆଇ ଅଫିସର ବୋଲି ପରିଚୟ ଦେଇ ୫୦ ହଜାର ଟଙ୍କା ଲୁଟି ନେଇଥିଲେ ସୁଧାଂଶୁ ଓ ଅନ୍ୟ ଦୁଇଜଣ ବ୍ୟକ୍ତି । ଏନେଇ ଥାନାରେ ଅଭିଯୋଗ କରିବା ପରେ ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ଟଙ୍କା ଫେରି ପାଇଥିବା କହିଛନ୍ତି ଭରତ, ହେଲେ ମାମଲା ଏବେ ବି ଯାଜପୁର ଜିଲ୍ଲା କୋର୍ଟରେ ରହିଛି । କେବଳ ଏତିକି ନୁହେଁ, ରାଜନୀତିରେ ମଧ୍ୟ ଛାପ ଛାଡିବାକୁ ସୁଧାଂଶୁ ଉଦ୍ୟମ କରିଥିବା ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ୨୦୧୭ ପଞ୍ଚାୟତ ନିର୍ବାଚନ ବେଳେ ସେ ସମିତି ସଭ୍ୟ ପଦବୀ ପାଇଁ ଲଢିଥିଲେ । ହେଲେ ମାତ୍ର ୨୫୦ ଖଣ୍ଡ ଭୋଟ୍ ପାଇ ପରାଜିତ ହୋଇଥିଲେ ।

  • ଗିରଫ ପରେ ଦେଖାଇଲେ ନାଲିଆଖି
  • ଦୂତୀଙ୍କୁ ନେଇ ଦେଲେ ବଡ ବୟାନ

ସୁଧାଂଶୁଙ୍କୁ ଗିରଫ ହେବା ପରେ ଯେତେବେଳେ ଡାକ୍ତରୀ ମାଇନା ପାଇଁ ହସ୍ପିଟାଲ ଯାଇଥିଲେ, ସେତେବେଳେ ସେ ଦୂତୀଙ୍କୁ ଟାର୍ଗେଟ କରିବାକୁ ପଛାଇ ନଥିଲେ । ତେବେ ସୁଧାଂଶୁଙ୍କ ବିରୋଧରେ ଆଇପିସିର ଧାରା ୩୫୪-ଏ ଅର୍ଥାତ୍ ଯୌନ ନିର୍ଯାତନା, ଆଇପିସିର ଧାରା ୫୦୬ ଅର୍ଥାତ ଅପରାଧିକ ଧମକ, ଆଇପିସିର ଧାରା ୧୨୦-ବି ଅର୍ଥାତ ଅପରାଧିକ ଷଡଯନ୍ତ୍ର, ଧାରା ୩୮୫ ଅର୍ଥାତ୍ ଭୟଭୀତ କରି ବଟି ଆଦାୟ କରିବା, ଧାରା ୫୦୯ ଅର୍ଥାତ୍ ଜଣେ ମହିଳାଙ୍କ ଇଜତ୍ ଉପରେ ଆଞ୍ଚ ଆଣିବା ପରି ଧାରାରେ ପୋଲିସ ମାମଲା ରୁଜୁ କରିଛି ।