ୱେବ ପୋର୍ଟାଲ ଦୁର୍ନୀତି ଡଟ୍ ଲାଇଭର ମୁଖ୍ୟଙ୍କ ନାଁରେ ମାଳ ମାଳ ଅଭିଯୋଗ: ୩ ଥାନା ପାଇଁ ମୋଷ୍ଟ ୱାଣ୍ଟେଡ ଥିଲା ଅଭିଯୁକ୍ତ ସୌମ୍ୟରଞ୍ଜନ ସାମନ୍ତରାୟ

ଚନ୍ଦ୍ରଶେଖରପୁର, ବାଣପୁର ଓ ବାଲୁଗାଁ ଥାନାରେ ଏକାଧିକ ମାମଲା । ସାମ୍ବାଦିକ କହି ଲୋକଙ୍କୁ ଧମକାଇ ଟଙ୍କା ଲୁଟୁ ଥିଲା ଦଲାଲ

103

କନକ ବ୍ୟୁରୋ: ଦୁର୍ନୀତି ଲାଇଭର ମୁଖ୍ୟ ସାମ୍ବାଦିକଙ୍କୁ ଖଣ୍ଡଗିରି ପୋଲିସ ଗିରଫ କରିବା ପରେ ବାଲୁଗାଁ, ବାଣପୁର, ଚିଲିକା ଅଂଚଳର କିଛି ସାମ୍ବାଦିକ ଓ ସମାଜସେବୀ ଖଣ୍ଡଗିରି ଥାନା ଆସି ପୋଲିସ ନିକଟରେ କିଛି ତଥ୍ୟ ରଖିଛନ୍ତି । ସେମାନଙ୍କର କହିବାନୁସାରେ, ଗିରଫ ସାମ୍ବାଦିକଙ୍କ ନାଁରେ ବାଲୁଗାଁ ଓ ବାଣପୁର ଥାନାରେ ଏକାଧିକ ମାମଲା ରହିଛି । ଅନେକ ଲୋକଙ୍କୁ ସେ ଠକିଛି । ଅନେକ ଲୋକଙ୍କଠାରୁ ଟଙ୍କା ଖାଇଛି ଏବଂ ଧମକ ମଧ୍ୟ ଦେଇଛି । ଏପରିକି ବାଣପୁରର ସମ୍ବାଦ ଓ କନକ ନ୍ୟୁଜ ପ୍ରତିନିଧିଙ୍କ ନାଁରେ ମଧ୍ୟ ଏଭଳି ଖବର କରି ସେମାନଙ୍କୁ ଟଙ୍କା ମାଗିଛି । ଏହି ସମସ୍ତ ତଥ୍ୟ ଖଣ୍ଡଗିରି ପୋଲିସକୁ ଦେଇଛନ୍ତି ବାଲୁଗାଁର ସାମ୍ବାଦିକ ଓ ସମାଜସେବୀ ।

ସୂଚନାନୁସାରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ହରିପୁର ଗ୍ରାମର ସୌମ୍ୟରଞ୍ଜନ ସାମନ୍ତରାୟ ନିଜେ ‘ଦୁର୍ନୀତି ଲାଇଭ୍‌’ ନାମକ ଏକ ୱେବ୍‌ ପୋର୍ଟାଲ୍‌ କରିଥିଲା। ରାଜଧାନୀ ସମେତ ଖୋର୍ଦ୍ଧା, ବାଲୁଙ୍ଗା, ନବରଙ୍ଗପୁର, ମୟୂରଭଞ୍ଜ ଆଦି ଜିଲ୍ଲାରେ ସାମ୍ବାଦିକ ନିଯୁକ୍ତି କରିଥିଲା। ବିଭିନ୍ନ ଖବର ପ୍ରସାରଣ କରିବା ଧମକ ଦେଇ ସେ ନେତା ଓ ଅଧିକାରୀମାନଙ୍କଠାରୁ ବଟି ନେଉଥିଲା। ନେତା, ଯନ୍ତ୍ରୀ, ଠିକାଦାର ଓ ବସ୍‌ ମାଲିକଙ୍କୁ ମାସିକିଆ ଚାନ୍ଦା ଦେବାକୁ ଧମକ ଦେଉଥିଲା। କେହି ବଟି ଦେବାକୁ ବାରଣ କଲେ ତାଙ୍କୁ ବଦନାମ୍‌ କରିବା ପାଇଁ ମିଛ ଖବର ପ୍ରସାରଣ କରୁଥିଲା।

ପୁଲିସ ସୂଚନା ମୁତାବକ, ବରମୁଣ୍ଡାର ଜଣେ ବସ୍‌ ମାଲିକଙ୍କୁ ସେ ବଟି ମାଗିଥିଲା। କିନ୍ତୁ ସେ ବଟି ଦେବେ ନାହିଁ ବୋଲି ରୋକ୍‌ଠୋକ ମନା କରି ଦେଇଥିଲେ। ତେଣୁ ଅଭିଯୁକ୍ତ ସୌମ୍ୟ ତାଙ୍କୁ ବଦନାମ୍‌ କରିବା ପାଇଁ ଲାଗି ପଡ଼ିଥିଲା। ତାଙ୍କ ପତ୍ନୀଙ୍କ ଫଟୋକୁ ଅନ୍ୟ ଏକ ଫଟୋ ସହ ମିଶାଇ କମ୍ପ୍ୟୁଟରରେ ଏଡିଟ୍‌ କରିବା ପରେ ଏକ ଭିଡିଓ ତିଆରି କରିଥିଲା। ଏହାକୁ ଦେଖାଇ ସେ ସମ୍ପୃକ୍ତ ମହିଳାଙ୍କୁ ବ୍ଲାକମେଲିଂ କରିବା ଆରମ୍ଭ କଲା। ଲକ୍ଷ‌େ ଟଙ୍କା ନ ଦେଲେ ଭିଡିଓକୁ ଭାଇରାଲ କରିବା ସହ ଖବର ତିଆରି କରିବ ବୋଲି ମଧ୍ୟ ଚେତାବନୀ ଦେଇଥିଲା। ମାତ୍ର ମହିଳା ଜଣକ ଖଣ୍ଡଗିରି ଥାନାରେ ଅଭିଯୋଗ କଲେ। ଅଭିଯୋଗ ହେବା ପରେ ପରେ ଆଇଆଇସି ପଦ୍ମନାଭ ପ୍ରଧାନ ଏକ ଟିମ୍‌ ଗଠନ କରି ତାକୁ ପୁରୀର ଏକ ହୋଟେଲରୁ ଉଠାଇ ନେଇଥିଲେ।