କନକ ବ୍ୟୁରୋ : ବାରଙ୍ଗ ୧୯୯୯... ଏ ହେଉଛି ବହୁ ଚର୍ଚ୍ଚିତ ୱେବ୍ ସିରିଜ ବାରଙ୍ଗ ୧୯୯୯ର ଟ୍ରେଲର । ଅଞ୍ଜନା ମିଶ୍ରଙ୍କ ବିରୋଧ ସତ୍ୱେ ଓଟିଟି ପ୍ଲାଟଫର୍ମ କଂଚାଲଙ୍କାରେ ରିଲିଜ ହୋଇସାରିଛି ବାରଙ୍ଗ ୧୯୯୯ । ହେଲେ ଏହାକୁ ରିଲିଜ କରାଇନଦେବା ପାଇଁ ପ୍ରଯୋଜନା ସଂସ୍ଥାକୁ ଲିଗାଲ ନୋଟିସ ପଠାଇଛନ୍ତି ଅଞ୍ଜନା ମିଶ୍ର । ୱେବ ସିରିଜରେ ତାଙ୍କ ଜୀବନ କାହାଣୀକୁ ଅବିକଳ ଚିତ୍ରଣ କରାଯାଇଥିଲେ ମଧ୍ୟ, ଏଥିପାଇଁ ତାଙ୍କଠାରୁ ଅନୁମତି ନିଆଯାଇନଥିବା କହିଛନ୍ତି ଅଞ୍ଜନା । କନକ ନ୍ୟୁଜ୍କୁ ଏନେଇ ପ୍ରତିକ୍ରିୟା ଦେଇ ଅଞ୍ଜନା କହିଛନ୍ତି, ଓଟିଟି ସଂସ୍ଥାକୁ ଲିଗାଲ ନୋଟ୍ିସ୍ ମାଧ୍ୟମରେ ୭୨ ଘଂଟାର ସମୟ ଦିଆଯାଇଛି । ଏହି ଅବଧୀ ଭିତରେ ଫିଲ୍ମକୁ ଉଠାଇ ନିଆନଗଲେ ସେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ।
ଲିଗାଲ ନୋଟିସ ପାଇଥିବା ସ୍ୱୀକାର କରିଛନ୍ତି ଓଟିଟି ପ୍ଲାଟଫର୍ମ କଂଚାଲଙ୍କାର ଚେୟାରମ୍ୟାନ ଅକ୍ଷୟ ପରିଜା । ତେବେ ସଫେଇ ରଖି କହିଛନ୍ତି, ୱେବ ସିରିଜରେ କାହାରି ଚରିତ୍ରକୁ ଅସମ୍ମାନ କରାଯାଇ ନାହିଁ । ସତ କାହାଣୀରୁ ପ୍ରେରିତ ହୋଇ କେବଳ ମନୋରଞ୍ଜନ ପାଇଁ ଏହାର ନିର୍ମାଣ କରାଯାଇଛି । ସେ ସମସୟର ରାଜନୈତିକ ସ୍ଥିତି, ପୋଲିସ ଓ ନ୍ୟାୟ ବ୍ୟବସ୍ଥାକୁ ଏଥିରେ ଚିତ୍ରଣ କରାଯାଇଛି । ଅଞ୍ଜନା ମିଶ୍ର ନିଜେ ୱେବ ସିରିଜଟିକୁ ଦେଖିବା ପରେ ଏ ସଂପର୍କରେ ଅବଗତ ହୋଇପାରିବେ ବୋଲି କହିଛନ୍ତି ଅକ୍ଷୟ ପରିଜା ।
୧୯୯୯ ଜନୁଆରୀ ୯ ତାରିଖରେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଜଣେ ସାମ୍ବାଦିକ ବନ୍ଧୁଙ୍କ ସହ କାରରେ ଯାଉଥିବାବେଳେ ବାରଙ୍ଗରେ ୩ଜଣ ଦୁଷ୍କର୍ମ କରିଥିଲେ । ୨୬ ଜାନୁଆରୀରେ ୨ଜଣ ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତିଙ୍କୁ ଗିରଫ କରାଯାଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ତଦନ୍ତ ଭାର ନେଲା । ସେତେବେଳେ ଓଡିଶା ରାଜନୀତିରେ ବିରାଟ ଝଡ ସୃଷ୍ଟି କରିଥିଲା ଅଞ୍ଜନା ଗଣଦୁଷ୍କର୍ମ ମାମଲା । ଏହାମଧ୍ୟ କୁହାଯାଏ ଏହି ଘଟଣା ପାଇଁ ତତକାଳୀନ କଂଗ୍ରେସ ସରକାରର ପତନ ହେଲା । ଦୀର୍ଘ ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଗିରଫ କରିବାରେ ପୋଲିସ ସମର୍ଥ ହୋଇଥିଲା
Follow Us