ପୁଣି ୱେବ ସାମ୍ବାଦିକଙ୍କ କଳା କାରନାମା : ଗଞ୍ଜେଇ ଗାଡିକୁ ଏସକର୍ଟ କରି ନେଉଥିଲେ ବିଶ୍ୱବିଜୟୀ ନ୍ୟୁଜ ଓଡିଶାର ସାମ୍ବାଦିକ

341

କନକ ବ୍ୟୁରୋ : ରାଜଧାନୀ ପରେ ୱେବ ପୋର୍ଟାଲ ସାମ୍ବାଦିକଙ୍କ ଆଉ ଏକ କଳା କାରନାମା ମାଲକାନଗିରି ଜିଲ୍ଲାରୁ ସାମ୍ନାକୁ ଆସିଛି । ନିଜକୁ ୱେବ ପୋର୍ଟାଲର ସାମ୍ବାଦିକ କହି କୋଟି କୋଟି ଟଙ୍କାର ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ହେମନ୍ତ ଟାକରି ନାମକ ଯୁବକ ଓ ତାଙ୍କ ସାଥୀ । ବିଶ୍ୱବିଜୟୀ ନ୍ୟୁଜ ଓଡିଶା ନାମକ ଏକ ୱେବ ପୋର୍ଟାଲର କାର୍ଡ ଧରି ଗଞ୍ଜେଇ ଚୋରା ଚାଲାଣ ରାକେଟ୍ ଚଳାଉଥିଲେ ଏହି ତଥା କଥିତ ସାମ୍ବାଦିକ ।

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରୁ ଏକ ପିକଅପ ଭ୍ୟାନ୍ ଯୋଗେ ଦେଢ ଟନ ଗଞ୍ଜେଇ ଜୟପୁର ଅଭିମୁଖେ ଚାଲାଣ କରୁଥିବା ବେଳେ ପିକ୍ଅପ ଭ୍ୟାନଟିକୁ ଏକ କାର ଯୋଗେ ଏସକର୍ଟ କରି ନେଉ ଥିଲେ ବିଶ୍ୱବିଜୀ ନ୍ୟୁଜ ଓଡିଶା ୱେବ ପୋର୍ଟାଲର ସାମ୍ବାଦିକ କହୁଥିବା ଅଭିଯୁକ୍ତ ହେମନ୍ତ ଟାକରି । ତେବେ ମାଲକାନଗିରି ମୁଦୁଲିପଡା ପୁଲିସ ଖବର ପାଇ ପିକଭ୍ୟାନ ସହ କାରକୁ ଜବତ କରିଥିବା ବେଳେ ନକଲି ସାମ୍ବାଦିକ ସହ ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ଦେଢ କୋଟି ହବ ବୋଲି ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମନ ଦ୍ୱିବେଦୀ ସୂଚନା ଦେଇଛନ୍ତି ।

ସେପଟେ, ୱେବ ପୋର୍ଟାଲ ସାମ୍ବାଦକ ପରିଚୟ ଦେଇ ଗଂଜେଇ ଚୋରା ଚାଲାଣ ଅଭିଯୋଗ ମାମଲାରେ ସ୍ପଷ୍ଟୀକରଣ ରଖିଛନ୍ତି ୱେବ ପୋର୍ଟାଲର ସମ୍ପାଦକ । ମେ’ ୩୧ ତାରିଖରୁ ବୈପାରୀଗୁଡା ବ୍ଲକ ସାମ୍ବାଦିକଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ନେଇ ସୂଚନା ଦିଆଯାଇଛି । ନିଜକୁ ବଂଚେଇବାକୁ ଯାଇ ଅଭିଯୁକ୍ତ ବିଶ୍ୱବିଜୟୀ ନାଁ ନେଇଥିବା କୁହାଯାଇଛି । ଅଭିଯୁକ୍ତ ହେମନ୍ତ ଟାକିରିଙ୍କ ବେଆଇନ୍ କାର୍ଯ୍ୟ ପାଇଁ ବିଶ୍ୱବିଜୟୀ ଦାୟୀ ନୁହଁ ବୋଲି ସମ୍ପାଦକଙ୍କ ପକ୍ଷରୁ କୁହାଯାଇଛି ।