କନକ ବ୍ୟୁରୋ: ଓଦା ହୋଇପାରେ ଦୀପାବଳୀ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର, ତାମିଲନାଡୁ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଂଟା ମଧ୍ୟରେ ଏହା ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି । ତେବେ ଏହାର ପ୍ରଭାବରେ ଆସନ୍ତା ୨୭ ତାରିଖ ପଯ୍ୟନ୍ତ ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ ।
ପାଣିପାଗ ବିଶେଷଜ୍ଞ କହିବାନୁଯାୟୀ ଅକ୍ଟୋବର ୨୩ରୁ ରାଜ୍ୟରେ ମେଘୁଆ ପାଗ ସହ ବର୍ଷା ଆରମ୍ଭ ହେବ । ୨୪ ତାରିଖ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ। ଯାହାକି ୨୭ ତାରିଖ ପର୍ଯ୍ୟନ୍ତ ଲାଗିରହିବ । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହେବା ସହ ଦୀପାବଳି ଦିନ ବି ବର୍ଷା ଲାଗିରହିବାର ସମ୍ଭାବନା ରହିଛି । ସୋମବାର ଓଡ଼ିଶା ଉପରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇ ପରବର୍ତ୍ତୀ ଦୁଇ ଦିନ ରହିବ । ୨୨ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ତାମିଲନାଡ଼ୁ ସଂଲଗ୍ନ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୨୩ ତାରିଖରେ ଲଘୁଚାପରେ ପରିଣତ ହେବ । ପରବର୍ତ୍ତୀ ସମୟରେ ଏହା ଉତ୍ତର ପୂର୍ବ ଦିଗରେ ଗତି କରି ୨୪ରେ ଆନ୍ଧ୍ର ଉପକୂଳ ନିକଟରେ ରହିବାର ସମ୍ଭାବନା ରହିଛି ।