ଦିନକରେ ୭ ଡିଗ୍ରି ଖସିଲା ପାରଦ: ୨୪ରୁ ପୁଣି ବଢ଼ିବ ସର୍ବନିମ୍ନ ତାପମାତ୍ରା; ରାଜ୍ୟରେ କମିବ ଶୀତର ପ୍ରକୋପ

157

କନକ ବ୍ୟୁରୋ: ଓଡ଼ିଶାର ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଅଞ୍ଚଳ‌ରେ ପାରଦ ଆଖିଦୃଶିଆ ଭାବେ ହ୍ରାସ ପାଇଛି। ଦିନକରେ ତାପମାତ୍ରା ପାଖାପାଖି ୭ ଡିଗ୍ରି ପର୍ଯ୍ୟନ୍ତ ଖସି ଯାଇଛି। ବଲାଙ୍ଗୀରରେ ରାତି ତାପମାତ୍ରା ସର୍ବାଧିକ ୭.୪ଡିଗ୍ରି ଖସି ଯାଇଥିବା ବେଳେ ସୋନପୁରଠାରେ ୬.୬ ଡିଗ୍ରି ତଳକୁ ଖସିଛି। ସେହିଭଳି ଭୁବନେଶ୍ବରରେ ରାତ୍ରି ତାପମାତ୍ରା ୫.୨ଡିଗ୍ରି ଖସିଥିବା ବେଳେ କଟକରେ ୪.୪ ଡିଗ୍ରି ଖସିଛି। ଫଳରେ ପୂରା ରାଜ୍ୟରେ ପୁଣିଥରେ ଶୀତ ଅନୁଭୂତ ହୋଇଛି। ଗତରାତିରୁ ଆରମ୍ଭ ହୋଇଥିବା ଏହି (ତାପମାତ୍ରା କମିବା) ପ୍ରକ୍ରିୟା କିନ୍ତୁ ବେଶିଦିନ ପାଇଁ ନୁହେଁ।

୨୪ ତାରିଖରୁ ରାଜ୍ୟର ସର୍ବନିମ୍ନ ତାପମାତ୍ରା ପୁଣି ବଢ଼ିବା ଆରମ୍ଭ କରିବ। ୨୪ ପରଠାରୁ ୩ରୁ ୪ଦିନ ପର୍ଯ୍ୟନ୍ତ ତାପମାତ୍ରା ପ୍ରାୟ ୫ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଫଳରେ ଶୀତ ପ୍ରକୋପ କମିବ। ବର୍ତ୍ତମାନ ରାଜ୍ୟରେ କୁହୁଡ଼ି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି। ଦକ୍ଷିଣ ଓଡ଼ିଶାର ଉପକୂଳବର୍ତୀ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

କେନ୍ଦ୍ରର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ଥିଲା। ସର୍ବନିମ୍ନ ରାତ୍ରି ତାପମାତ୍ରା ଫୁଲବାଣୀଠାରେ ୭ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ ହୋଇଛି। ଏହାଛଡ଼ା ରାଜ୍ୟର ଆଉ ଦୁଇଟି ସ୍ଥାନର ତାପମାତ୍ରା ୧୦ ଡିଗ୍ରି ତଳେ ରେକର୍ଡ ହୋଇଛି। ଝାରସୁଗୁଡ଼ାଠାରେ ୮.୬ ଡିଗ୍ରି ଓ ଦାରିଂବାଡ଼ିଠାରେ ୧୦ଡିଗ୍ରି ରେକର୍ଡ ହୋଇଛି। ରାତ୍ରି ତାପମାତ୍ରାରେ ଆସନ୍ତା ୨୪ ଘଣ୍ଟାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। କିନ୍ତୁ ଏହା ପରେ ୩ରୁ ୪ଦିନ ମଧ୍ୟରେ ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି। ଅର୍ଥାତ୍‌ ରାଜ୍ୟରେ ଶୀତର ପ୍ରକୋପ କମିବ।